Latest Odisha News

BREAKING NEWS

ନିଟ୍ ବିବାଦ ଭିତରେ ୟୁଜିସି-ନେଟ୍ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବା ବେଳେ ଏବେ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଛି। ଏହାପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍ ୧୮ରେ ଦେଶର ବିଭିନ୍ନ ସହରରେ ଦୁଇଟି ସିଫ୍ଟରେ ଓଏମଆର (ପେନ୍ ଏବଂ ପେପର) ମୋଡରେ ୟୁଜିସି-ନେଟ୍ ଜୁନ୍ ୨୦୨୪ ପରୀକ୍ଷା ଆୟୋଜନ କରିଥିଲା। ଏହି ପରୀକ୍ଷାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ଠକେଇ ଅଭିଯୋଗ ଆସିବା ପରେ ଶିକ୍ଷା ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି।

ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ପାଇଁ ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଅନୁଷ୍ଠିତ ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍)ର ଜୁନ୍ ପରୀକ୍ଷା ମଙ୍ଗଳବାର ଓଏମ୍ଆର୍ (ପେନ୍ ଆଣ୍ଡ ପେପର) ମୋଡରେ ସାରା ଦେଶରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା।

ଜୁନ୍ ୧୯, ୨୦୨୪ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ରୁ ପରୀକ୍ଷା ସମ୍ପର୍କରେ କିଛି ସୂଚନା ପାଇଥିଲା। ଏହି ସୂଚନା ପ୍ରାଥମିକ ଦୃଷ୍ଟିରୁ ସୂଚାଉଛି ଯେ ଉପରୋକ୍ତ ପରୀକ୍ଷା ସଠିକ୍ ଭାବେ ହୋଇନାହିଁ।

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପରୀକ୍ଷା ପ୍ରକ୍ରିୟାର ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରାଯାଇଛି । ଏହା ଆଉ ଏକ ତାରିଖରେ ନୂଆ ଭାବରେ ପରୀକ୍ଷା ହେବ।

ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ଆସିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇ ନାହିଁ। କେବଳ ଏତିକି କୁହାଯାଇଛି ଯେ ଏହି ମାମଲାକୁ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି।

Comments are closed.