Latest Odisha News

ମୁହଁ ଖୋଲିଲେ ଶିକ୍ଷା ମନ୍ତ୍ରୀ, କହିଲେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଦେଶରେ ନିଟ୍‌ ଓ ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, “ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।”

ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ଘଟଣାରେ କୌଣସି ଦୋଷୀଙ୍କୁ ଛଡ଼ାଯିବନି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ସରକାର ଯତ୍ନବାନ । ଘଟଣାର ତଦନ୍ତ ଚାଲିଛି, ସ୍ପଷ୍ଟ ପ୍ରମାଣ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଟିଏର ଯେକେହି ଦୋଷୀ ଥିଲେ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଟିଏକୁ ଅଧିକ ସୁଦକ୍ଷ କରିବାକୁ ଏକ କମିଟି ଗଠନ କରାଯିବ । ଏଥିସହ ଏନ୍‌ଟିଏ ଗଠନ, ପରିଚାଳନା ସଂପର୍କରେ କମିଟି ସୁପାରିସ କରିବ ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଡାର୍କ ୱେବ୍‌ ଓ ଟେଲିଗ୍ରାମ୍‌ରୁ ନେଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣା ଜଣାପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ ତୁରନ୍ତ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଥିଲୁ । ପରୀକ୍ଷା ବାତିଲ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ଗୁଜବ ନକରିବାକୁ ଅପିଲ କରିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଯୋଗ୍ୟ ଯେ, ନିଟ୍‌ ଓ ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ମାମଲାରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ଘେରାଉ କରିଥିଲା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ । ବିକ୍ଷୋଭ ପ୍ରଦର୍ଶନ କରୁଥିବା କିଛି ଛାତ୍ରମାନଙ୍କୁ ମଧ୍ୟ ଉଠାଇ ନେଇଥିଲା ପୋଲିସ। ସେପଟେ ଆଜି ସକାଳେ ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ ହୋଇଥିବା ସ୍ବୀକାର କରିଛନ୍ତି।

ସୂଚନାଥାଉ କି, ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ୱାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦ ପ୍ରତିଶତ ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

 

Comments are closed.