ଲଣ୍ଡନ: କରୋନା ଟିକା ନେଇ ସାରା ବିଶ୍ୱରେ ଆଶା ସଞ୍ଚାର ବେଳେ ନିରୁତ୍ସାହିତ କଲା ଭଳି ଖବର ଆସିଛି ଲଣ୍ଡନରୁ । ବ୍ରିଟେନର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନିକା କୋଭିଡ୍ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି । କାରଣ ହେଉଛି ଜଣେ ସ୍ୱେଚ୍ଛାସେବୀଙ୍କ ପାଖରେ ପରୀକ୍ଷଣ ପରେ ଅପ୍ରତ୍ୟାଶିତ ଅସୁସ୍ଥତା ଦେଖିବାକୁ ମିଳିଥିଲା । ଆଷ୍ଟ୍ରାଜେନିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କରୋନା ଟିକା ପ୍ରସ୍ତୁତି କରୁଛି ।
ଆଷ୍ଟ୍ରାଜେନିକା ପକ୍ଷରୁ କୁହାଯାଇଛି ଯେ, ନିୟନ୍ତ୍ରିତ ଗ୍ଲୋବାଲ୍ ଟ୍ରାଏଲ ଅନୁସାରେ ଟିକାର ମାନକ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ମାନବ ପରୀକ୍ଷଣ ବେଳେ ଅପ୍ରତ୍ୟାଶିତ ଅସୁସ୍ଥତା ଦେଖାଦେବାରୁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିଛନ୍ତି । ଅନୁଧ୍ୟାନ ଚାଲିଛି ଓ ମାନବ ପରୀକ୍ଷଣର ବିଶ୍ୱସନୀୟତା ବଜାର ରଖିବା ନେଇ ସୁନିଶ୍ଚିତ କରିଛି ଆଷ୍ଟ୍ରାଜେନିକା ।
ଏହାସହ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ବଡ଼ ସ୍ତରରେ ପରୀକ୍ଷଣ ବେଳେ କୌଣସି ରୋଗ ଦେଖାଦେବାର ସମ୍ଭାବନା ରହିଥାଏ । କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳି ନାହିଁ । ଟିକା ନେବା ପରେ ତାଙ୍କ ପାଖରେ କେତେ ବଡ଼ ସମସ୍ୟା ଦେଖା ଦେଇଛି ତାହା ସ୍ପଷ୍ଟ ହୋଇନି ।
ଆଷ୍ଟ୍ରାଜେନିକାର କରୋନା ଟିକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଚାଲିଛି । ୩୧ ଅଗଷ୍ଟରେ ଆମେରିକାର ବିଭିନ୍ନ ରାଜ୍ୟରେ ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ଟିକା ଦେବା ନେଇ ପଞ୍ଜିକରଣ କରିଥିଲା ଆଷ୍ଟ୍ରାଜେନିକା । ବଡ଼ ସ୍ତରରେ ହ୍ୟୁମାନ୍ ଟ୍ରାଏଲ ପାଇଁ ସଜବାଜ ବେଳେ ଏଭଳି ଘଟଣା ସାରା ବିଶ୍ୱକୁ ଚିନ୍ତିତ କରିଛି ।
Comments are closed.