Latest Odisha News

BREAKING NEWS

ଆଜୀବନ ନିରୋଗ ରଖିବ ଆୟୁର୍ବେଦ…

ଭୁବନେଶ୍ୱର: ବିଶ୍ଵରେ ଆଧୁନିକ ଚିକିତ୍ସା ବିଜ୍ଞାନ କାୟା ବିସ୍ତାର କରିଚାଲିଛି । ତେବେ ଆଧୁନିକ ଚିକିତ୍ସା ସହିତ ଆମ ଦେଶରେ ଆୟୁଷ ଚିକିତ୍ସା (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି)ର ସ୍ଥିତି ମଧ୍ୟ ଅତୁଟ ରହିଛି। ଆୟୁର୍ବେଦ ଏକ ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନ । ଅଥର୍ବବେଦରେ ଆୟୁର୍ବେଦର ବିଶେଷ ବର୍ଣ୍ଣନା ମିଳେ । ତେବେ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ପୁରାଣରେ ମଧ୍ୟ ଆୟୁର୍ବେଦର ବର୍ଣ୍ଣନା ମିଳେ । ଆୟୁର୍ବେଦ ତ୍ରିଦୋଷ ଯଥା ବାତ, ପିତ୍ତ ଓ କଫର ଆରୋଗ୍ୟ ଉପରେ ଗୁରୁତ୍ଵ ଆରୋପ କରେ । ସେହିପରି ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ଳ ସପ୍ତ ଧାତୁ ଓ ମଳ ମୂତ୍ର ପ୍ରଭୃତିକୁ ଚିକିତ୍ସାରେ ସାମିଲ କରାଯାଇଛି।

ଏଗୁଡିକର ସମତାରେ ଶରୀର ନୀରୋଗ ରହେ ଏବଂ ବିଷମତାରେ ରୋଗ ହୁଏ ବୋଲି ଆୟୁର୍ବେଦ କୁହେ । ଆୟୁର୍ବେଦ ଔଷଧ ପ୍ରସ୍ତୁତି ପାଇଁ ତିନୋଟି ମୁଖ୍ୟ ଉତ୍ସ ହେଉଛି: , ଉଦ୍ଭିଦ,ଖଣିଜ ଏବଂ ପ୍ରାଣିଜ । ଏଗୁଡିକ ପ୍ରକୃତିରୁ ମିଳିଥାଏ । ତେଣୁ ପ୍ରକୃତିର ସୁରକ୍ଷାରେ ଆୟୁର୍ବେଦର ସୁରକ୍ଷା ସମ୍ଭବ ।

ବାଲ୍ୟ, କୈଶୋର, ଯୌବନ ଓ ଜରା ଏହି ଚାରି ଅବସ୍ଥାକୁ ନେଇ ଦେଖାଯାଉଥିବା ସ୍ୱତନ୍ତ୍ର ବ୍ୟାଧିପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଆୟୁର୍ବେଦରେ ରହିଛି ।

ଭିନ୍ନ ଭିନ୍ନ ବିଭାଗ ବା ସଂସ୍ଥାନ ପାଇଁ ଭିନ୍ନ ଔଷଧର ପରିକଳ୍ପନା କରାଯାଇଛି । ଆୟୁର୍ବେଦ କେବଳ ରୋଗର ଚିକିତ୍ସା କରେନାହିଁ। ରୋଗ ନ ହେବା ପାଇଁ ପ୍ରତିରୋଧକ ଶକ୍ତିବୃଦ୍ଧିର ପରାମର୍ଶ ମଧ୍ୟ ଦିଏ । ନୀରୋଗ ଜୀବନ ପାଇଁ ଦିନଚର୍ଯ୍ୟ ଓ ଋତୁଚର୍ଯ୍ୟ ଉପରେ ମଧ୍ୟ ଆୟୁର୍ବେଦ ଗୁରୁତ୍ଵ ଦିଏ ।

ଆଜିକାଲି ସମସ୍ତ ପ୍ରକାର ଜୀବନଶୈଳୀ ରୋଗ ପାଇଁ ନିରାପଦ ଓ ବିଶ୍ଵାସଯୋଗ୍ୟ ଚିକିତ୍ସା ହେଉଛି ଆୟୁର୍ବେଦ । ଦିନକୁ ଦିନ ଦେଶବିଦେଶରେ ଆୟୁର୍ବେଦ ଓ ଯୋଗର ଆଦର ବଢିବାରେ ଲାଗିଛି । ଲୋକମାନେ ବେଳେବେଳେ ମତ ଦିଅନ୍ତି ଭସ୍ମଜାତୀୟ ବା ଧାତୁରୁ ପ୍ରସ୍ତୁତ ଔଷଧ ବୃକ୍କ ସମସ୍ୟା ସୃଷ୍ଟି କରେ ।

ମେଦବହୁଳତା, ମଧୁମେହ, ରକ୍ତଚାପ, ନିଦ୍ରାହୀନତା, ଯୌନ ଅକ୍ଷମତା, ଏକ୍‌ଜିମା, ସୋରିଆସିସ୍ ପରି ରୋଗ ଏବଂ ସମସ୍ତପ୍ରକାର ବାତବ୍ୟାଧି କ୍ଷେତ୍ରରେ ରୋଗୀମାନେ ଆୟୁର୍ବେଦ ଚିକିତ୍ସାରୁ ସୁଫଳ ପାଉଥିବା କୁହାଯାଇଛି । ଆୟୁର୍ବେଦ ପାଇଁ ବିଶ୍ଵରେ ଆମ ଦେଶର ସ୍ୱତନ୍ତୁ ପରିଚୟ ରହିଛି ।

Leave A Reply

Your email address will not be published.