ନୂଆଦିଲ୍ଲୀ: ଲଣ୍ଡନର ଟେକ୍ କମ୍ପାନୀ ନଥିଙ୍ଗ (Nothing) ନିଜର ବଜେଟ୍ କ୍ୟାଟେଗୋରୀ ସବ୍-ବ୍ରାଣ୍ଡ CMF (Colour, Material, Finish)କୁ ଏବେ ଏକ ସ୍ୱାଧୀନ ଭାରତୀୟ ସହାୟକ କମ୍ପାନୀ ଭାବରେ ଲଞ୍ଚ କରିଛି। କମ୍ପାନୀ ମାଲିକ କାର୍ଲ ପେଇ ଭାରତକୁ CMF ପାଇଁ ବିଶ୍ୱସ୍ତରୀୟ ମୁଖ୍ୟାଳୟ କରିଛନ୍ତି, ଯେଉଁଠାରେ ଗବେଷଣା, ଉତ୍ପାଦନ ଏବଂ କାର୍ଯ୍ୟ ପରିଚାଳନା କରାଯିବ। ଏହା ବ୍ୟତୀତ ଭାରତ ଏବେ CMF ଉତ୍ପାଦ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ରପ୍ତାନି କେନ୍ଦ୍ର ଭାବରେ କାର୍ଯ୍ୟ କରିବ।
Nothingର ସହ-ପ୍ରତିଷ୍ଠାତା ଏବଂ ସିଇଓ କାର୍ଲ ପେଇ ( CEO Carl Pei)ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। କାର୍ଲ ତା’ପରେ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଏକ ଫଟୋ ସେୟାର କରି କହିଥିଲେ, “ଆମେ ଭାରତରୁ ଏକ ବ୍ରାଣ୍ଡ ନିର୍ମାଣ କରୁଛୁ ଯାହାକୁ ସାରା ବିଶ୍ୱରେ ନିଜର ପରିଚୟ ବନେଇବ।”
ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ Nothing ଭାରତୀୟ ନିର୍ମାଣ କମ୍ପାନୀ Optiemus Infracom Limited ସହିତ $100 ମିଲିୟନ ଜଏଣ୍ଟ ଉଦ୍ୟୋଗ (JV) ଘୋଷଣା କରିଛି ।
ଏହି ସହଭାଗୀତା ଅଧୀନରେ ଭାରତ କେବଳ ଏକ ଉତ୍ପାଦନ କେନ୍ଦ୍ର ନୁହେଁ ବରଂ CMF ସ୍ମାର୍ଟଫୋନ୍ ପାଇଁ ଏକ ରପ୍ତାନି କେନ୍ଦ୍ର ହେବ। ଏହି ସହଭାଗୀତା ଆଗାମୀ ତିନି ବର୍ଷ ମଧ୍ୟରେ ଭାରତରେ ୧୮୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।
ଏହି ସହଭାଗୀତା ବିଷୟରେ କହି Optiemus ଅଧ୍ୟକ୍ଷ ଅଶୋକ ଗୁପ୍ତା କହିଛନ୍ତି, “ଏହି ସହଭାଗୀତା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୋଣକୁ ସୁଦୃଢ଼ କରୁଛି ।”
ନଥିଙ୍ଗର ଏକ ସବ-ବ୍ରାଣ୍ଡ, CMF ପ୍ରଥମେ ୨୦୨୩ ମସିହାରେ ଲଞ୍ଚ ହୋଇଥିଲା। ବଜେଟ୍-ସେଗମେଣ୍ଟ୍ ୟୁଜରଙ୍କ ପାଇଁ ନଥିଙ୍ଗ ଏହି ସବ-ବ୍ରାଣ୍ଡ୍ ସୃଷ୍ଟି କରିଥିଲା। CMF ପ୍ରଥମେ CMF Buds Pro, Watch Pro, ଏବଂ ଏକ 65W GaN ଚାର୍ଜର ଲଞ୍ଚ କରିଥିଲା। ତା’ପରେ ଜୁଲାଇ ୨୦୨୪ରେ କମ୍ପାନୀ ଏହାର ପ୍ରଥମ ସ୍ମାର୍ଟଫୋନ୍ CMF Phone 1 ଲଞ୍ଚ କରିଥିଲା। ଏହି ଫୋନଟି ବଜେଟ୍ ୟୁଜର ପସନ୍ଦ କରିଥିଲେ। ଏହାପରେ କମ୍ପାନୀ ଏପ୍ରିଲ୍ ୨୦୨୫ରେ CMF Phone 2 Pro ଲଞ୍ଚ କରିଥିଲା ଏବଂ ୟୁଜରଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ପାଇଥିଲା।
Comments are closed.