ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବାକୁ ଜରୁରୀ ବୈଠକ
ଭୋଟ ଜରିଆରେ ନିଆଯିବ ନିଷ୍ପତ୍ତି । ଋଷିଆ କହିଲା, ବର୍ତ୍ତମାନର ମାନବାଧିକାର ସଂରଚନା ଭାଙ୍ଗିବାକୁ ପାଶ୍ଚାତ୍ୟ ଦେଶମାନଙ୍କର ଷଡ଼ଯନ୍ତ୍ର
ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ । ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଏହି ବୈଠକ ବସିଥିବା ଜଣାପଡ଼ିଛି । ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବା ପାଇଁ ଏହି ଜରୁରୀ ବୈଠକ ବସିଛି । ଯାହା ଭୋଟ ଜରିଆରେ କାର୍ଯ୍ୟକାରୀ ହେବ ।
ତେବେ ଉଭୟ ପକ୍ଷକୁ ନିଜ ନିଜ ମତ ଉପସ୍ଥାପନା କରିବାକୁ ଅଧିକାର ମିଳିଛି । ୟୁକ୍ରେନ ପ୍ରତିନିଧି ଋଷିଆ ଆକ୍ରମଣକୁ ଅମାନବୀୟ ଏବଂ ଏହା ଯୁଦ୍ଧ ଅପରାଧ ବୋଲି ଦର୍ଶାଇଛନ୍ତି । ଏହି ଯୁଦ୍ଧ ମାନବାଧିକାର ବିରୋଧୀ ବୋଲି ୟୁକ୍ରେନ ପ୍ରତିନିଧି ଜାତିସଂଘରେ କହିଛନ୍ତି ।
ସେ କହିଛନ୍ତି ଯେ, ‘ଗୋଟିଏ ସାର୍ବଭୌମ ରାଷ୍ଟ ଉପରେ ମାନବାଧିକାର ପରିଷଦର ଅନ୍ୟ ଏକ ସଦସ୍ୟ ଜବରଦସ୍ତି ଆକ୍ରମଣ କରିଛଇ । ଯାହା ଯୁଦ୍ଧ ଅପରାଧ ଏବଂ ମାନବାଧିକାର ବିରୋଧୀ ।’
ମାନବାଧିକାର ପରିଷଦରୁ ଋଷିଆକୁ ବିତାଡ଼ିତ କରିବା ବିକଳ୍ପ ବାଟ ନୁହେଁ । ବରଂ ଏହା ବାକି ସଦସ୍ୟ ମାନଙ୍କର ଏକ ପରମ କର୍ତ୍ତବ୍ୟ ।
ସେପଟେ ଏହାର ପ୍ରତିପକ୍ଷରେ ଉତ୍ତର ରଖିଛନ୍ତି ଋଷିଆ ପ୍ରତିନିଧି । ପାଶ୍ଚାତ୍ୟ କିଭଳି ଯୋଜନାବଦ୍ଧ ଭାବେ ବର୍ତ୍ତମାନର ମାନବାଧିକାର ସଂରଚନା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ପାଶ୍ଚାତ୍ୟ ଦେଶ ଏବଂ ସେମାନଙ୍କ ସହଯୋଗୀ ଏହି ଷଡ଼ଯନ୍ତ୍ରରେ ସାମିଲ । ସମସ୍ତ ସଦସ୍ୟ ଏହାକୁ ବୁଝିବା ଦରକାର । ଏହା ବିରୋଧରେ ଭୋଟ ଦେବା ଆବଶ୍ୟକ ବୋଲି କହିଛନ୍ତି ଋଷିଆ ପ୍ରତିନିଧି ।
ଖବର ଲେଖା ହେବା ଯାଏଁ ଭୋଟ ଅନୁଷ୍ଠିତ ହୋଇନି ।
Comments are closed.