ଖୋର୍ଦ୍ଧା:ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି।
ମୁଁ ରାମଚନ୍ଦ୍ର ବଡ଼ଜେନା। ମୋ ଘର କୁମ୍ଭାରବସ୍ତ। ମୋ ସ୍ତ୍ରୀ ପାଇଁ ମୁଁ ଆଜି ସୁଇସାଇଡ୍ କରୁଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ।
ଆଜି ଶିଳ୍ପାଞ୍ଚଳ ଥାନା ପୋଲିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଏହା ରାମଚନ୍ଦ୍ରଙ୍କର ବୋଲି ଜଣାପଡିଥିଲା। ପରେ ମୃତଦେହକୁ ରାମଚନ୍ଦ୍ରଙ୍କ ପରିବାରଲୋକେ ଚିହ୍ନଟ କରିଥିଲେ। ତେବେ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।
ଖବରମୁତାବକ, ରାମଚନ୍ଦ୍ର ଜଙ୍କିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଗତ କିଛି ବର୍ଷ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିବା ପରେ କଳହ ବଢ଼ିଚାଲିଥିଲା। ଶେଷରେ ସ୍ତ୍ରୀଙ୍କ ନିର୍ଯାତନା ଅସହ୍ୟ ହେଉଥିବା ଦର୍ଶାଇ ମୋବାଇଲରେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ରାମଚନ୍ଦ୍ର। ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଏପଟେ ମୃତ ରାମଚନ୍ଦ୍ରଙ୍କ ମା’ବାପା ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। ସେମାନେ ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ମୃତ ଯୁବକଙ୍କ ମା’ଙ୍କଠାରୁ ଅଭିଯୋଗ ଗ୍ରହଣ କରି ଏକ ମାମଲା(୮୫/୨୫) ରୁଜୁ କରିଛି।
Comments are closed.