କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ ବନ୍ଦୀ ଜଣକ ଜେଲ ଡାକ୍ତରଖାନାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ଏବେ ସୁଦ୍ଧା ଜଣାପଡିନାହିଁ ।
ମୃତ ବନ୍ଦୀ ଜଣଙ୍କ ହେଲେ କଟକ ହାତୀପୋଖରୀ ଦୁର୍ଗାବଜାର ଅଞ୍ଚଳର ମହମ୍ମଦ କଲିମ । ରବିବାର ସନ୍ଧ୍ୟାରେ ଜେଲ ପକ୍ଷରୁ ଅଭିଯୋଗ ପରେ ଚୌଦ୍ୱାର ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ମୃତ ଦେହ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ । ରାତି ପ୍ରାୟ ୧୧ଟାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି ।
ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୋଲିସ ମହମ୍ମଦ କଲିମକୁ ଗିରଫ କରିଥିଲା । ଦରଘା ବଜାର ଥାନା ଅଞ୍ଚଳରେ କୌଣସି ଏକ ଗଣ୍ଡଗୋଳ ଘଟଣାରେ ପୋଲିସ କଲିମକୁ ଗିରଫ କରିଥିଲା । ତେବେ ଚୌଦ୍ଵାର ଜେଲର କଡ଼ା ସୁରକ୍ଷା ବଳୟ ଭିତରେ କିଭଳି ଜଣେ ବିଚାରଧୀନ କଏଦୀ ଆତ୍ମାହତ୍ୟା ଉଦ୍ୟମ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା ।