Latest Odisha News

BREAKING NEWS

ମାସକ ଭିତରେ ବଦଳିଗଲା ବେକାରି ଚିତ୍ର: ରାଜ୍ୟରେ ବଢ଼ିଲା, ଦେଶରେ କମିଲା

ଭୁବନେଶ୍ୱର: ମାସକ ଭିତରେ ବଦଳିଗଲା ଓଡ଼ିଶାର ବେକାରି ଚିତ୍ର । ଫେବୃଆରୀ ମାସରେ ବେକାରୀ ହାର ରାଜ୍ୟରେ କମିଥିବା ନେଇ ସରକାର ପ୍ରଶଂସା ସାଉଁଟିଥିଲେ । ହେଲେ ଏହାକୁ ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ମାସକ ଭିତରେ ଏହି ବେକାରି ହାର ୧ ପ୍ରତିଶତରୁ ବଢ଼ି ୯ ପ୍ରତିଶତ ହୋଇଛି । ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ରିପୋର୍ଟରୁ ଏହା ଜଣାପଡିଛି । ବେକାରି ହାର ବଢ଼ିବା ପରେ ସାରା ଦେଶରେ ୧୭ ନମ୍ବର ସ୍ଥାନକୁ ଖସିଛି ଓଡ଼ିଶା ।

ସେହିପରି ଦେଶରେ ଫେବୃଆରୀରେ ଦେଶରେ ବେକାରି ହାର ୮.୧୦ ପ୍ରତିଶତ ଥିଲା ଯାହା ମାର୍ଚ୍ଚରେ ୭.୬ ପ୍ରତିଶତକୁ ଖସି ଆସିଛି। ଏପ୍ରିଲ୍ ୨ରେ, ଏହା ଆହୁରି ୭.୫ ପ୍ରତିଶତକୁ ଖସି ଆସିଛି । ଏହି ସମୟରେ ସହରାଞ୍ଚଳର ବେକାରି ହାର ୮.୫ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ଏହା ୭.୧ ପ୍ରତିଶତ ଥିଲା। କୋଭିଡ ମହାମାରୀ ପରେ ଅର୍ଥନୀତି ଟ୍ରାକକୁ ଫେରୁଛି। କିନ୍ତୁ ଭାରତ ଭଳି ଏକ ଗରିବ ଦେଶ ପାଇଁ ବେକାରି ହାର ଏବେ ବି ଅଧିକ ରହିଛି। ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ବେକାରିରେ ରହିଛନ୍ତି । ସେମାନେ ଏବେ କେବଳ ଖାଇବା ପାଇଁ ରୋଜଗାର କରୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।

ଗତମାସରେ ମହାନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ପଡିବା ପୂର୍ବରୁ ଏହି ରିପୋର୍ଟ ଗତମାସରେ ପ୍ରକାଶ ପାଇଥିଲା। ପରେ ଏହା ଏକ ପ୍ରସଙ୍ଗ ମଧ୍ୟ ପାଲଟିଥିଲା । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପାଇଁ ବେକାରୀ ହାର କମିଛି ବୋଲି ଶାସକ ଦଳର ନେତା ଯୁକ୍ତି ବାଢିଥିଲେ। ହେଲେ ବିରୋଧୀ ବିଜେପି ନେତା ସଂପୃକ୍ତ ସର୍ଭେ ସଂସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ।

ବିଶେଷଜ୍ଞ କୁହନ୍ତି, ମାସିକ ରିପୋର୍ଟରୁ ସ୍ଥିର କରିହେବନି ଗୋଟିଏ ରାଜ୍ୟର ବେକାରୀ କେତେ କମିଛି କେତେ ବଢିଛି । ସେହିପରି ଏହି ସଂସ୍ଥାର ସର୍ଭେରେ ରୋଜଗାରକ୍ଷମ ବ୍ୟକ୍ତିର ସର୍ବନିମ୍ନ ଆୟ କେତେ ରହିଛି ତାହା ଉଲ୍ଲେଖ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ଆଧାର କରି ବେକାରି ହାର ସ୍ଥିର କରିହେବନି।  ସେହିପରି ରାଜ୍ୟରେ ବେସରକାରୀ ନିଯୁକ୍ତି ଏବଂ ଚାକିରି ପାଇଁ ପ୍ରମୁଖ ସ୍ଥାନ ରାଜଧାନୀ ଭୁବନେଶ୍ୱର ପାଲଟିଛି। ଆଉ ଅଧିକାଂଶ ବାହାର ରାଜ୍ୟରେ ରହି ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ଏହି ଆଶାୟୀମାନେ ଅନ୍ୟ ରାଜ୍ୟରେ ଚାକିରି ଖୋଜୁଥିବାରୁ ଓଡ଼ିଶାରେ ବେକାରି ହାର କମିଥିଲା ବୋଲି ସେତେବେଳେ ମତ ରଖିଥିଲେ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ହରିଆଣାରେ ବେକାରି ହାର ସର୍ବାଧିକ ୨୬.୭ ପ୍ରତିଶତ ଥିଲା। ଏହା ପରେ ରାଜସ୍ଥାନ ଏବଂ ଜମ୍ମୁ କଶ୍ମୀରରେ ଏହା ୨୫-୨୫ ପ୍ରତିଶତ ଥିଲା। ବିହାରରେ ବେକାରି ହାର ୧୪.୪ ପ୍ରତିଶତ, ତ୍ରିପୁରାରେ ୧୪.୧ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୫.୬ ପ୍ରତିଶତ ଥିଲା । ୨୦୨୧ ମସିହା ଏପ୍ରିଲରେ ଦେଶରେ ସାମଗ୍ରିକ ବେକାରି ହାର ୭.୯୭ ପ୍ରତିଶତ ଥିଲା। ଗତ ବର୍ଷ ମେ ମାସରେ ଏହା ୧୧.୮୪ ପ୍ରତିଶତରେ ଥିଲା। ମାର୍ଚ୍ଚ ୨୦୨୨ ରେ କର୍ଣ୍ଣାଟକ ଏବଂ ଗୁଜୁରାଟରେ ବେକାରି ହାର ୧.୮-୧.୮ ପ୍ରତିଶତରେ ଥିଲା। ଯାହା ସର୍ବନିମ୍ନ ।

Comments are closed.