ଭୁବନେଶ୍ବର: ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ଅଭିଯାନର ଶୁଭାରମ୍ଭ ଆସନ୍ତା ୨୯ ତାରିଖରେ ଶ୍ରୀକ୍ଷେତ୍ର ପୁରୀରୁ କରାଯିବ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଅଭିଯାନର ଶୁଭାରମ୍ଭ କରିବେ ବୋଲି ସୂଚନ ରହିଛି । ଏହି ୧୫ ଦିନିଆ ବ୍ୟାପକ ଅଭିଯାନରେ ଶ୍ରୀ ଚୌହାନ ପ୍ରାୟ ୨୦ଟି ରାଜ୍ୟ ଗସ୍ତ କରି କୃଷକ ଏବଂ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବା ସହିତ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ।
ମେ ୨୯ ତାରିଖରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହେବା ପରେ ଶ୍ରୀ ଚୌହାନ ଜମ୍ମୁ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ମେଘାଳୟ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଛତିଶଗଡ଼ ଗସ୍ତ କରିବେ ଏବଂ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ କୃଷକ ଏବଂ ବୈଜ୍ଞାନିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ।
ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ ଫସଲ ପାଇଁ ଆଧୁନିକ ଜ୍ଞାନକୌଶଳ ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା, ଲାଭଦାୟକ ସରକାରୀ ଯୋଜନା ଓ ନୀତି ବିଷୟରେ ସଚେତନତା ସୃଷ୍ଟି କରିବା, ଫସଲ ଚୟନ ଓ ସନ୍ତୁଳିତ ସାର ପ୍ରୟୋଗ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବହାର କରିବା ଉପରେ କୃଷକମାନଙ୍କୁ ମାର୍ଗଦର୍ଶନ କରିବା ଏବଂ କୃଷକଙ୍କ ନେତୃତ୍ୱାଧୀନ ନବସୃଜନକୁ ବୁଝିବା ପାଇଁ ମତାମତ ସଂଗ୍ରହ କରିବା ତଥା ସେହି ଅନୁଯାୟୀ ଅନୁସନ୍ଧାନ ନିର୍ଦ୍ଦେଶାବଳୀ ପରିଚାଳିତ କରିବା ।
ଖରିଫ ଋତୁରେ କୃଷକମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମେ ୨୯ ରୁ ଜୁନ୍ ୧୨ ପର୍ୟ୍ୟନ୍ତ ୭୦୦ରୁ ଅଧିକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗରେ ଦେଶବ୍ୟାପୀ ‘ବିକାଶ କୃଷି ସଂକଳ୍ପ ଅଭିଯାନ’ ଆୟୋଜନ କରାଯିବ । ଏହି ସମୟରେ ବୈଜ୍ଞାନିକମାନଙ୍କ ଦଳ ଗାଁ-ଗାଁ ଯାଇ କୃଷକମାନଙ୍କ ସହ ଭାବ କଥାବାର୍ତ୍ତା ହେବେ ।
ଏହି ଅଭିଯାନରେ ଦେଶର ସମସ୍ତ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଆଇସିଏଆରର ସମସ୍ତ ୧୧୩ଟି ପ୍ରତିଷ୍ଠାନ, ରାଜ୍ୟସ୍ତରୀୟ ବିଭାଗ, କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ପ୍ରଗତିଶୀଳ କୃଷକ ଏବଂ କୃଷି ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ ।
ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରାଜ୍ୟର ପ୍ରାୟ ଦେଢ଼ କୋଟି କୃଷକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ (ପରୀକ୍ଷାଗାରରୁ ଚାଷ ଜମି ପର୍ଯ୍ୟନ୍ତ) ଲକ୍ଷ୍ୟକୁ ସାକାର କରିବା । କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ବିକଶିତ କୃଷି ସହିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
Comments are closed.