Latest Odisha News

କାଶୀପୁର ଥାନା ଉପରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ଚାରୋଟି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଶତାଧିକ ଲୋକ ଥାନା ପରିସରରେ ଏହି ତୁମୁଳ କାଣ୍ଡ ଘଟାଇଛନ୍ତି । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି । ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କୁ ଆଜି କାଶୀପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବର ମୁତାବକ, ସିଜିମାଳି ଖଣି ଖନନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କାର୍ତ୍ତିକ । ତେବେ କାର୍ତ୍ତିକଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ବନ୍ତେଜ, ସରମ୍ବାଇ, କଣ୍ଟାମାଳ ଓ ବଣ୍ଡେଲ ଗ୍ରାମବାସୀ ଏକତ୍ରିତ ହୋଇଥିଲେ ।

ଏହାପରେ ମିଳିତ ଭାବେ ଆସି କାଶୀପୁର ଥାନା ଘେରାଉ କରିଥିଲେ । ଧିରେ ଧିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଥାନା ଉପରେ ଆକ୍ରମଣ କରିଥିଲେ । ଥାନାର କବାଟ ଓ ଝରକା ସମେତ ଚୌକି ଭାଙ୍ଗି ସେଠାରେ ହିଁ ନିଆଁ ଲଗାଇଥିଲେ । ଏହାପରେ ପୋଲିସ ବୁଝାସୁଝା କରି ସମସ୍ତଙ୍କୁ ଘଉଡାଇଥିଲେ । ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Leave A Reply

Your email address will not be published.