Latest Odisha News

କେନ୍ଦ୍ର ବଜେଟ୍: ଏଥର ବି ମଧ୍ୟବିତ୍ତଙ୍କୁ ମୁହଁ ମୋଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ମଧ୍ୟବିତ୍ତଙ୍କୁ ପୁଣି ନିରାଶ କରିଛି । ମଧ୍ୟବିତ୍ତଙ୍କ ଲାଗି ବଜେଟରେ ବିଶେଷ କିଛି ନାହିଁ । ଯେଉଁ ଶ୍ରେଣୀର ଲୋକେ ଅଧିକ ଖର୍ଚ୍ଚ କରନ୍ତି ଓ କର ଦିଅନ୍ତି, ସେମାନଙ୍କୁ ବାରମ୍ବାର ବଜେଟରେ ଉପେକ୍ଷା କରାଯାଉଛି । ମୋଦି ସରକାର ପୁଣି ଥରେ ମଧ୍ୟମ ଆୟ ବର୍ଗକୁ ନିରାଶ କରିଥିବା ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଉଦବେଗ ଓ କ୍ଷୋଭ ପ୍ରକାଶ କରିଛନ୍ତି ମଧ୍ୟବିତ୍ତ ବର୍ଗ । ବିଜେପିି ଭୋଟବ୍ୟାଙ୍କର ଗୋଟିଏ ବଡ ଅଂଶ ମଧ୍ୟବିତ୍ତ ଶ୍ରେଣୀର ହୋଇଥିଲେ ମଧ୍ୟ ଏମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ ଦଳ, ଯାହା କି ଏଥର ବଜେଟରୁ ସ୍ପଷ୍ଟ ହୋଇଯାଇଛି ।

ଭାରତର ଜନସଂଖ୍ୟାର ୩୧ ପ୍ରତିଶତ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀ । ଏହି ବର୍ଗର ଲୋକଙ୍କ ପାଇଁ ଭାରତୀୟ ଅର୍ଥନୀତି କ୍ରିୟାଶୀଳ ହୁଏ । ଅଧିକ ଖର୍ଚ୍ଚ କରନ୍ତି ମଧ୍ୟବର୍ଗର ଲୋକେ । ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମାତ୍ର ୨ କୋଟି ୨୪ ଲକ୍ଷ ଭାରତୀୟ ଟିକସ ଦେଇଥିଲେ । ମଧ୍ୟବିତ୍ତମାନେ ହିଁ ଦେଶର ସଂଖ୍ୟାଗରିଷ୍ଠ କରଦାତା । ହେଲେ ସେମାନଙ୍କୁ ପାଇଁ କିଛି ବଜେଟୀୟ ଆଶ୍ୱସ୍ତି ନାହିଁ । ଦେଖିବାକୁ ଗଲେ ମଧ୍ୟବିତ୍ତମାନେ କୌଣସି ଦଳ ପ୍ରତି ଆନୁଗତ୍ୟ ରଖନ୍ତି ନାହିଁ । କିନ୍ତୁ ବିଜେପି ପ୍ରତି ରହିିଛି ଟିକେ ଦୁର୍ବଳତା ।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ଅର୍ବାନ ମିଡିଲକ୍ଲାସ ଭୋଟରଙ୍କ ଭୂମିକା ଥିଲା ନିର୍ଣ୍ଣାୟକ । ଆର୍ଥିକ ବୋଝ ସହୁଥିବା ମିିଡିଲକ୍ଲାସଙ୍କୁ ବିଜେପି ସରକାର ଗତ ୧୦ ବର୍ଷରେ ଆଖିଦୃଶିଆ ଆଶ୍ୱସ୍ତି ଦେଇନଥିବା ଅଭିଯୋଗ ହୋଇଛି । ଲୋକସଭା ନିର୍ବାଚନରେ ଅସନ୍ତୁଷ୍ଟ ମଧ୍ୟବିତ୍ତ ଭୋଟରଙ୍କ ଯୋଗୁଁ ବିଜେପିକୁ କ୍ଷତି ହୋଇଥିଲା । କିନ୍ତୁ ବିଜେପି ଏଥିରୁ କିଛି ଶିଖିପାରିଲାନି ବୋଲି ମତ ପ୍ରକାଶ ପାଇଛି ।

ଏଥର ବଜେଟରେ ମଧ୍ୟବିତ୍ତ ବେତନଭୋଗୀଙ୍କୁ ନୂଆ କର ପ୍ରଣାଳୀରେ କେବଳ ୧୭ ହଜାର ୫୦୦ ଟଙ୍କା ଯାଏଁ ଆଶ୍ୱସ୍ତି ମିଳିଛି। ଆଉ କିଛି ଆଖିଦୃଶିଆ ନାହିଁ । ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ –ଏଲଟିସିଜି ଉପେରେ ଟ୍ୟାକ୍ସ ୧୦ରୁ ସାଢେ ୧୨ ପ୍ରତିଶତ ପାଇଁ ଘୋଷଣା ସେୟାର ମାର୍କେଟରେ ପଇସା ଲଗାଉଥିବା ଲୋକଙ୍କୁ ବେଶୀ ବାଧିବ ।

ସୋସିଆଲ ମିଡିଆ ମଂଚର ବଜେଟକୁ ତାତ୍ସଲ୍ୟ କରିଛନ୍ତି ଲୋକେ । ମିଡିଲକ୍ଲାସ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ ପାଇଁ ଟ୍ୟାକ୍ସ ଦେବାକୁ ପଡୁଛି । ଆୟକର ଦେଲା ପରେ ବଜାରରୁ ସାମାନ କିଣିଲେ ଦେବାକୁ ପଡୁଛି ଜିଏସଟି । ଆୟରେ ବୃଦ୍ଧି ହେଉନାହିଁ । କିନ୍ତୁ କର ଦେବାକୁ ପଡୁଛି । ମୁଦ୍ରାସ୍ଫୀତିର ମାଡ ମଧ୍ୟବିତ୍ତ ହିଁ ସହୁଛନ୍ତି । ବେତନଭୋଗୀ ଶ୍ରେଣୀ ଉପରେ ସରକାର କାହିଁକି ଏତେ ବୋଝ ଲଦୁଛନ୍ତି ବୋଲି ପ୍ରଶ୍ନ ହେଉଛି ।

ଆମେରିକା ଭଳି ଟିକସ, ସୋମାଲିଆ ଭଳି ସେବା । ଏକ୍ସରେ ଏଭଳି ପୋଷ୍ଟ ବଜେଟ୍ ପ୍ରତି ମଧ୍ୟମବର୍ଗ ଲୋକଙ୍କ ଅସନ୍ତୋଷ ସୂଚାଇ ଦେଉଛି । କିଛି ୨୦୦୪ ଲୋକସଭା ନିର୍ବାଚନ କଥା ମନେ ପକାଇ ଦେଇଛନ୍ତି । ମିଡିଲ୍ କ୍ଲାସ ଭୋଟର ମୁହଁ ମୋଡିଥିବାରୁ ସେତେବେଳେ ବାଜପେୟୀ ସରକାରର ପତନ ହୋଇଥିଲା ।

Comments are closed.