Latest Odisha News

BREAKING NEWS

ଗଭୀର ମହାସାଗର ଅଭିଯାନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଗଭୀର ମହାସାଗର ଅଭିଯାନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଗଭୀର ସମୁଦ୍ରରେ ଥିବା ସମ୍ପଦର ଅନୁସନ୍ଧାନ କରିବା ଓ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ କରିବାରେ ଏହା ବେଶ ସହଯୋଗ କରିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି ।

ଏହି ଅଭିଯାନକୁ ପର୍ଯ୍ୟାୟ କ୍ରମେ ଲାଗୁ କରିବା ଦିଗରେ ୫ ବର୍ଷର ଅବଧି ଲାଗି ଆନୁମାନିକ ୪୦୭୭ କୋଟି ଟଙ୍କା ବ୍ୟୟ କରାଯିବ । ୨୦୨୧ରୁ ୨୦୨୪ ଲାଗି ପ୍ରଥମ ପର୍ଯ୍ୟାୟରେ ଆନୁମାନିକ ୨୮୨୩.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗଭୀର ମହାସାଗର ପ୍ରକଳ୍ପ ଭାରତ ସରକାରଙ୍କ ନୀଳ ଅର୍ଥବ୍ୟବସ୍ଥା ଯୋଜନାକୁ ସମର୍ଥନ କରିବା ଲାଗି ଏକ ମିଶନ ଆଧାରିତ ପ୍ରକଳ୍ପ ହେବ ।

ସମୁଦ୍ରରେ ୬୦୦୦ ମିଟର ତଳେ ଅନେକ ପ୍ରକାରର ଖଣିଜ ରହିଛି । ଏହି ଖଣିଜ ବିଷୟରେ ଅଧ୍ୟୟନ ହୋଇନାହିଁ । ତେଣୁ ଏହି ମିଶନ ଦ୍ବାରା ଖଣିଜ ବିଷୟରେ ଅଧ୍ୟୟନ ଓ ସର୍ଭେ କରାଯିବ । ଏହା ବ୍ୟତିତ ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ରର ଜଳସ୍ତର ବଢିବା ସହ ଗଭୀର ସମୁଦ୍ରରେ ହେଉଥିବା ପରିବର୍ତ୍ତନ ବିଷୟରେ ବି ଅଧ୍ୟୟନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି ଯେ, ବିଶ୍ବର ପାଖାପାଖି ୭୦ ପ୍ରତିଶତ ଭାଗରେ ଥିବା ମହାସାଗର, ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି । ଗଭୀର ସମୁଦ୍ରର ପାଖାପାଖି ୯୫ ପ୍ରତିଶତ ଅଂଶ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନ କରାଯାଇ ପାରିନାହିଁ । ଭାରତର ତିନି ଦିଗରେ ମହାସାଗର ଘେରି ରହିଛି ଏବଂ ଦେଶର ପାଖାପାଖି ୩୦ ପ୍ରତିଶତ ଜନସଂଖ୍ୟା ଉପକୂଳ କ୍ଷେତ୍ରରେ ରହିଥାନ୍ତି । ଦୀର୍ଘକାଳୀନ ରୂପରେ ମହାସାଗରର ମହତ୍ବକୁ ଧ୍ୟାନରେ ରଖି ମିଳିତ ଜାତିସଂଘ ୨୦୨୧-୨୦୩୦ ଦଶନ୍ଧିକୁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ମହାସାଗର ବିଜ୍ଞାନର ଦଶନ୍ଧି ଭାବେ ଘୋଷଣା କରିଛି । ୨୦୩୦ ସୁଦ୍ଧା ନୂତନ ଭାରତ ବିକାଶ କରିବା ଲାଗି ଭାରତ ସରକାରଙ୍କ ସଂକଳ୍ପ ୨୦୧୯ ଫେବୃଆରୀରେ ପ୍ରତିପାଦିତ ହୋଇଥିଲା । ଏହି ସଂକଳ୍ପର ୧୦ଟି ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ନୀଳ ଅର୍ଥ ବ୍ୟବସ୍ଥା ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Comments are closed.