Latest Odisha News

BREAKING NEWS

ଗର୍ଭପାତ ସଂଶୋଧନ ପ୍ରସ୍ତାବକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଏଣିକି ମହିଳାମାନେ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏନେଇ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗର୍ଭପାତ ସଂଶୋଧନ ନିୟମ ୨୦୨୦କୁ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିୟମ ଅନୁସାରେ, ଗର୍ଭପାତ କରାଇବାର ସମୟ ସୀମାକୁ ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରିବାର ବ୍ୟବସ୍ଥା ଆଣିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଗର୍ଭପାତର ସମୟ ସୀମାକୁ ବଢ଼ାଇବା ପାଇଁ ଗତବର୍ଷ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ତେବେ, ଏଥିପାଇଁ ସଂସଦର ଆଗାମୀ ଅଧିବେଶନରେ ବ୍ୟବସ୍ଥା ଅଣାଯିବ । ନୂଆ ସରକାର ଆସିବାପରେ ହିଁ ଏହି ପ୍ରସଙ୍ଗରେ ଚର୍ଚ୍ଚା କରାଯିବ ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, “ଗର୍ଭପାତ କରିବାର ସର୍ବାଧିକ ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବାକୁ କ୍ୟାବିନେଟ୍ ମଂଜୁରୀ ଦେଇଛି ।

୨୦ ସପ୍ତାହରେ ଗର୍ଭପାତ କରାଇେଲେ ମା’ର ମୃତ୍ୟୁ ହେବାର ଅନେକ ଘଟଣା ସାମନାକୁ ଆସିଛି । ସେଥିପାଇଁ ୨୪ ସପ୍ତାହରେ ଗର୍ଭପାତ କରିବା ସୁରକ୍ଷିତ ରହିବ । ଏହି ପଦକ୍ଷେପ ଦ୍ୱାରା ଦୁଷ୍କର୍ମ ପୀଡିତା ଓ ନାବାଳିକାଙ୍କୁ ସହାୟତା ମିଳିବ ।”

କିଛି ସମୟ ପୂର୍ବରୁ ଗର୍ଭପାତ ସମୟ ସୀମା ବଢ଼ାଇବା ପାଇଁ ଲଗାତାର ଦାବି ହେଉଥିଲା । ବର୍ତ୍ତମାନର ଗର୍ଭପାତ ଅଧିନିୟମ ବହୁତ ପୁରୁଣା ମଧ୍ୟ ।

ପ୍ରସ୍ତାବିତ ସଂଶୋଧନର ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ:

– ଗର୍ଭାବସ୍ଥାର ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବା ଲାଗି ଜଣେ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ଏବଂ ଗର୍ଭାବସ୍ଥାର ୨୦ରୁ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବା ଲାଗି ୨ଜଣ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ହେବ ।

– ସ୍ୱତନ୍ତ୍ର ଧରଣର ମହିଳାଙ୍କ ପାଇଁ ଗର୍ଭପାତ ଲାଗି ଗର୍ଭାବସ୍ଥାର ସୀମା ୨୦ ରୁ ବୃଦ୍ଧି କରି ୨୪ ସପ୍ତାହ କରିବା ଲାଗି ବିଲରେ ପ୍ରସ୍ତାବ ରହିଛି । ତେବେ ନିୟମରେ ସଂଶୋଧନ ଅଣାଯାଇ ଏପରି ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିକାରେ ସାମିଲ କରାଯିବ । ଏମାନଙ୍କ ମଧ୍ୟରେ ଦୁଷ୍କର୍ମ ପୀଡିତା, ସମ୍ପର୍କୀୟମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଏବଂ ଦିବ୍ୟାଙ୍ଗ ଓ ନାବାଳିକାଙ୍କ ଭଳି ଅସୁରକ୍ଷିତ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ।

– ମେଡିକାଲ ବୋର୍ଡଦ୍ୱାରା ଯାଂଚ ପରେ ଶାରୀରିକ ଭ୍ରୂଣ ସମ୍ବନ୍ଧୀୟ ବିଷମତା କ୍ଷେତ୍ରରେ ଗର୍ଭାବସ୍ଥାର ଉପରିସ୍ଥ ସୀମା ଲାଗୁ ହେବ ନାହିଁ । ମେଡିକାଲ ବୋର୍ଡର ସଂଗଠକ, କାର୍ଯ୍ୟ ଓ ଅନ୍ୟାନ୍ୟ ବିବରଣୀ ଆଇନର ନିୟମ ଅନ୍ତର୍ଗତ ନିର୍ଦ୍ଧାରଣ କରାଯିବ ।

-ଯେଉଁ ମହିଳାଙ୍କ ଗର୍ଭପାତ ହେବ ତାଙ୍କର ନାମ ଓ ଅନ୍ୟାନ୍ୟ ସୂଚନା ଆଇନ ଅନୁଯାଇ ନିର୍ଦ୍ଧାରିତ ବିଶେଷ ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରାଯିବ ନାହିଁ ।

ମହିଳାଙ୍କ ଲାଗି ଚିକିତ୍ସାତ୍ମକ, ସୁପ୍ରଜନନ, ମାନବୀୟ ତଥା ସାମାଜିକ ଆଧାରରେ ସୁରକ୍ଷିତ ଏବଂ ବୈଧ ଗର୍ଭପାତ ସେବାର ସମ୍ପ୍ରସାରଣ କରିବା ଲାଗି ଚିକିତ୍ସା ପଦ୍ଧତି ଗର୍ଭପାତ ସଂଶୋଧନ ବିଲ ୨୦୨୦ ଅଣାଯାଉଛି । ପ୍ରସ୍ତାବିତ ସଂଶୋଧନରେ କେତେକ ଉପଧାରାକୁ ସ୍ଥାନିତ କରିବା, ବର୍ତମାନର ଗର୍ଭପାତ ଆଇନ ୧୯୭୧ରେ ନିର୍ଦ୍ଧାରିତ ସର୍ତ ସହିତ ଗର୍ଭପାତ ଲାଗି ଗର୍ଭାବସ୍ଥାର ଉପରିସ୍ଥ ସୀମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂଆ ଅନୁଛେଦ ଯୋଡିବା ଏହାର ଉଦ୍ଦେଶ୍ୟ । ସୁରକ୍ଷିତ ଗର୍ଭପାତ ସେବା ଓ ଗୁଣବତା ସହ ସାଲିସ ନ କରି କଠୋର ସର୍ତ ସହିତ ସାମଗ୍ରୀକ ଗର୍ଭପାତ ଯତ୍ନକୁ ପୂର୍ବାପେକ୍ଷା ଆହୁରି ଅଧିକ କଠୋର ଭାବେ ଲାଗୁ କରିବା ନିମନ୍ତେ ଏହି ବିଲ ଅଣାଯାଇଛି ।

ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ଏବଂ ଏହାଦ୍ୱାରା ବହୁ ସଂଖ୍ୟକ ମହିଳା ଉପକୃତ ହୋଇପାରିବେ । ନିକଟରେ ନ୍ୟାୟାଳୟରେ କେତେଗୁଡିଏ ମାମଲା ଦାୟର କରାଯାଇଥିଲା, ଏଥିରେ ଭ୍ରୂଣ ସମ୍ପନ୍ଧୀୟ ବିଷମତା ଏବଂ ଯୌନ ଶୋଷଣର ଶିକାର ମହିଳାଙ୍କ ଗର୍ଭଧାରଣ ଆଧାରରେ ଗର୍ଭପାତର ମଞ୍ଜୁରିପ୍ରାପ୍ତ ସୀମାକୁ ଅଧିକ କରିବା ଲାଗି ଅନୁମତି ମଗାଯାଇଥିଲା । ଯେଉଁ ମହିଳାମାନଙ୍କର ଗର୍ଭପାତ କରାଇବା ନିହାତି ଆବଶ୍ୟକ, ସେମାନଙ୍କ ପାଇଁ ଗର୍ଭାବସ୍ଥାର ଅବଧିରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନଙ୍କର ଆତ୍ମସମ୍ମାନ, ସ୍ୱାୟତତା, ଗୋପନୀୟତା ଏବଂ ନ୍ୟାୟ ସୁନିଶ୍ଚିତ ହେବ ।

ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କୁ ସୁରକ୍ଷିତ ଗର୍ଭପାତ ସେବା ଯୋଗାଇଦେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ଧ୍ୟାନରେ ରଖି ବିଭିନ୍ନ ଅଂଶୀଦାର ଓ ମନ୍ତ୍ରଣାଳୟଗୁଡିକ ସହିତ ବ୍ୟାପକ ବିଚାର ବିମର୍ଶ ପରେ ଗର୍ଭପାତ ଆଇନରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.