Latest Odisha News

BREAKING NEWS

କାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା, ଭେଟି ଦେବେ ଆୟୁଷ୍ମାନ ଭାରତ ସେବା

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୧ରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା, ଓଡିଶାବାସୀଙ୍କ ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏଥିପାଇଁ କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନଡ୍ଡା । କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସିଧା କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

କାଲିଠୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା । ଏଥିସହିତ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା ମଧ୍ୟ ଆରମ୍ଭ ହେବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ରାଜ୍ୟର ୧ କୋଟି ପରିବାରର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଏହି ସ୍ବାସ୍ଥ୍ୟକାର୍ଡ । ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ସାମିଲ ହେବାକୁ ଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ ।

ପୁରୁଣା ସ୍ୱାସ୍ଥ୍ୟ କାର୍ଡରେ କେବଳ ୯୫୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିଲା । ସାରା ଭାରତବର୍ଷରେ ଚାଲୁ ନଥିଲା । ନୂଆ ସ୍ୱାସ୍ଥ୍ୟକାର୍ଡରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ଉପଲବ୍ଧ ହେବ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ ।  ଏହା ଏକ କମନ୍ କାର୍ଡ ହେବ । ଦାଦନ ଶ୍ରମିକ, ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଛନ୍ତି ସେମାନେ ମଧ୍ୟ ଏହି ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଡରେ ଲାଭବାନ ହେବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Comments are closed.