ଇମ୍ଫାଲ: ଅଶାନ୍ତ ମଣିପୁର। ଲାଗି ରହିଛି ଉତ୍ତେଜନା। ଜଳୁଛି ସାରା ରାଜ୍। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି। ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଅନ୍ୟପଟେ କୁକି ଉଗ୍ରପନ୍ଥୀଙ୍କ ଆତଙ୍କରାଜ ବିରୋଧରେ ମୈତେୟୀ ସଂପ୍ରଦାୟର ଆନ୍ଦୋଳନ ବିସ୍ଫୋରକ ରୂପ ନେଇଛି।
ପୋଲିସର ସୂଚନା ଅନୁସାରେ, ରାଜ୍ୟରେ ଲାଗି ରହିଥିବା ଜାତିଗତ ହିଂସାକାଣ୍ଡକୁ ନେଇ ଉତ୍ୟେକ୍ତ ଲୋକ ବିଜେପି ବିଧାୟକଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଥିଲେ। ମଣିପୁର ଜିରିବାମ ଜିଲ୍ଲାରେ ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଖବର ଲୋକଙ୍କ ପାଖରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର ରାଜ୍ୟର ୩ ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଥିଲେ ପ୍ରଦର୍ଶନକାରୀ।
ଅନ୍ୟପଟେ ସମଗ୍ର ରାଜ୍ୟରେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ମଣିପୁରର ନାଗରିକ ସମାଜ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ସମୟସୀମା ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଏ ନେଇ ନିର୍ଣ୍ଣାୟକ ପଦକ୍ଷେପ ନିଆନଗଲେ ହିଂସାତ୍ମକ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ମିଳିଥିବାରୁ ସୁରକ୍ଷା ବାହିନୀ ହାଇଆଲର୍ଟରେ ରହିଛି। ଆଜି ସିଆରପିଏଫ୍ ଡିଜି ଜରୁରୀ ମଣିପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ହିଂସାଗ୍ରସ୍ତ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କର ମହାରାଷ୍ଟ୍ର କାର୍ଯ୍ୟକ୍ରମ ବାତିଲ୍ କରି ଦିଲ୍ଲୀ ଫେରିଛନ୍ତି ଏବଂ ମଣିପୁର ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଏ ବାବଦ ସମନ୍ବୟ ସଂପର୍କରେ ସମୀକ୍ଷା କରିଛନ୍ତି। ଶାହ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିବା ପରେ ରାଜ୍ୟରେ ଶାନ୍ତି କାଏମ ରଖିବାକୁ କେତେକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମଧ୍ୟ ଅପରାହ୍ଣ ୧୨ଟା ବେଳେ ମଣିପୁର ସ୍ଥିତିକୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Comments are closed.