ଭୁବନେଶ୍ୱର: ବିଜୁ ଜନତା ଦଳ ଓ କଂଗ୍ରେସକୁ କଡ଼ା ସମାଲୋଚନା କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ଟେଲିକମ୍ ଘନତ୍ୱକୁ ନେଇ ବିରୋଧୀ ଓଡ଼ିଶାବାସୀଙ୍କୁ ମିଛ କହିବା ବନ୍ଦ କରନ୍ତୁ। ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗ ଦେଇ ବୈଷ୍ଣବ କହିଛନ୍ତି ଯେ, ଦୂରସଞ୍ଚାର କ୍ଷେତ୍ରରେ ଓଡିଶାର ସ୍ଥିତି ବହୁତ ଭଲ ରହିଛି। ତେଣୁ କେନ୍ଦ୍ରକୁ ନେଇ କ୍ରମାଗତ ଭାବେ ମିଛ କହୁଥିବା ଲୋକେ ଏପରି କରିବା ବନ୍ଦ କରନ୍ତୁ।
୨୦୧୪ରେ ଓଡ଼ିଶାରେ ମାତ୍ର ୭୫୦୦ ମୋବାଇଲ ଟାଓ୍ବାର ଥିଲା। ଏବେ ୨୦୨୩ରେ ଏହି ସଂଖ୍ଯା ୨୬,୫୧୨କୁ ବୃଦ୍ଧି ପାଇଛି। ଯେଉଁମାନେ ସାମ୍ବାଦିକ ସମ୍ମିଳନୀରେ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ। କାରଣ ଓଡ଼ିଶାବାସୀ ନିଜ ଆଖପାଖରେ ହେଉଥିବା ସମସ୍ତ କାମ ସମ୍ପର୍କରେ ବେଶ୍ ଅବଗତ ଅଛନ୍ତି ବୋଲି ବୈଷ୍ଣବ କହିଛନ୍ତି।
୨୦୧୪ରେ ମାତ୍ର ୬ ଲକ୍ଷ ଲୋକଙ୍କ ପାଖରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଥିଲା। ଏବେ ୨୦୨୩ରେ ରାଜ୍ୟରେ ମୋଟ ୨.୨ କୋଟି ଲୋକଙ୍କ ପାଖରେ ବ୍ରଡବ୍ୟାଣ୍ଡ ସୁବିଧା ରହିଛି। ସେହିପରି ଓଡ଼ିଶାରେ ମାତ୍ର ୪୦,୭୫୬ କିମି ଫାଇବର ଅପଟିକାଲ କେବୁଲ ନେଟଓ୍ୱାର୍କ ଥିଲା। ଏବେ ଏଥିରେ ୧.୩୭ ଲକ୍ଷ କିଲୋମିଟର ଫାଇବର ଅପଟିକାଲ କେବୁଲ୍ ରହିଛି, ଯାହା ଉପଭୋକ୍ତାଙ୍କୁ ଇଣ୍ଟରନେଟ୍ ସିଗନାଲ ପ୍ରଦାନ କରୁଛି ବୋଲି ବୈଷ୍ଣବ କହିଛନ୍ତି।
ଖାଲି ଏତିକି ନୁହେଁ ରାଜ୍ୟରେ ୫୩୩୩ଟି ଅତିରିକ୍ତ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ୫,୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେ କହିଛନ୍ତି,”ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଇ ଦେବାକୁ ମୁଁ ଦାବି କରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜନୀତି ଦେଶ ପାଇଁ ସମର୍ପିତ ହେବା ଉଚିତ ଏବଂ ଆତ୍ମକେନ୍ଦ୍ରିକ ହେବା ଉଚିତ ନୁହେଁ।
Comments are closed.