Latest Odisha News

BREAKING NEWS

କେମିତି ଘଟିଥିଲା ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା?, ସଂସଦରେ ଉତ୍ତର ରଖିଲେ ରେଳମନ୍ତ୍ରୀ….

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଥିଲା । ଏହାର ତଦନ୍ତ ରିପୋର୍ଟ ଏବେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଉପସ୍ଥାପିତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ରାଜ୍ୟସଭାରେ ଏହି ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟ ଉଲ୍ଲେଖ କରିଛନ୍ତି । ଏହି ରିପୋର୍ଟକୁ ଉଦ୍ଧୃତ କରି ସେ ଦୁର୍ଘଟଣାର କାରଣ ମଧ୍ୟ କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ଏକ ବହୁତ ଭାରୀ ଲଗେଜ୍ ପଡ଼ିବା ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। କିଛି ସମୟ ମଧ୍ୟରେ ଏହି ବିଶୃଙ୍ଖଳା ଏକ ଦଳାଚକଟାର ରୂପ ନେଇଥିଲା। ଏହି କାରଣରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଳମନ୍ତ୍ରୀ ସଂସଦରେ କହିଥିଲେ ଯେ ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ତାଙ୍କର ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ରାତି ପ୍ରାୟ ୮.୪୮ରେ ଫୁଟ୍ ଓଭର ବ୍ରିଜ୍-୩ ସଂଯୋଗକାରୀ ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ର ସିଡ଼ିରେ ଘଟିଥିଲା।

ଦୁର୍ଘଟଣା ସମୟରେ, ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଚଢ଼ିବା ପାଇଁ ବହୁ ସଂଖ୍ୟକ ଭକ୍ତ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁଯାୟୀ, ଅନେକ ଯାତ୍ରୀ ମୁଣ୍ଡରେ ଭାରୀ ଲଗେଜ୍ ଧରି ଚାଲିଥିଲେ। ଯାହା ଫଳରେ ଯାତ୍ରୀମାନଙ୍କ ପାଇଁ ଫୁଟ୍ ଓଭର ବ୍ରିଜ୍ ଉପରେ ସୁଗମ ଭାବରେ ଚାଲିବା କଷ୍ଟକର ହୋଇପଡୁଥିଲା। ଏହି ସମୟରେ, ଜଣେ ଯାତ୍ରୀଙ୍କ ମୁଣ୍ଡରୁ ଏକ ଭାରୀ ଜିନିଷ ଖସି ପଡ଼ିଲା, ଯାହା ସିଡ଼ି ଉପରେ ଚାପ ବୃଦ୍ଧି କଲା। ଯାତ୍ରୀମାନେ ପରସ୍ପର ଉପରେ ପଡ଼ିବାକୁ ଲାଗିଲେ। ରିପୋର୍ଟରେ କୁହାଯାଇଛି ଯେ ଏହି ଦଳାଚକଟା ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ର ସିଡ଼ି ପର୍ଯ୍ୟନ୍ତ ସୀମିତ ଥିଲା।

Comments are closed.