Latest Odisha News

BREAKING NEWS

ଜାପାନ ସହଯୋଗରେ ଇସ୍ପାତ୍ ଶିଳ୍ପର ପୂର୍ବଦୋୟରେ ଓଡିଶା ହେବ ପ୍ରମୁଖ କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ ଋଣନୀତିର ଆବଶ୍ୟକତା ରହିଛି ଏବଂ ଏହି ଇସ୍ପାତ୍ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ଦେଶର ଭଲ ସହଯୋଗୀ ରାଷ୍ଟ୍ର ହୋଇଛି । ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡିଶାକୁ ଇସ୍ପାତ୍ ଶିଳ୍ପର ପୂର୍ବଦୋୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଭୁବନେଶ୍ୱର ଠାରେ ଇସ୍ପାତ୍‌ ମନ୍ତ୍ରଣାଳୟ ଏବଂ ଜାପାନ ଏମଇଟିଆଇ ପକ୍ଷରୁ ଆୟୋଜିତ କର୍ମଶାଳା “ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଇସ୍ପାତ୍‌ର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟା”ରେ ଯୋଗଦେଇ ସେ ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ମାଧ୍ୟମରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବ । ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ ଭୂମିକା ରହିଛି ଏବଂ ଓଡିଶା ଦେଶର ଇସ୍ପାତ୍ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ରାସ୍ତାରେ ଅଛି । ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରିବା ପାଇଁ
ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ କେବଳ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ ହେବାର ସମ୍ଭାବନା ରହିଛି । ମାତ୍ର ଏହାକୁ ସାକାର କରିବା ପାଇଁ ଓଡିଶାର ଆନୁଷାଙ୍ଗିକ ବ୍ୟବସ୍ଥାକୁ ବଢାଇବାକୁ ପଡିବ ।

ସେ କହିଛନ୍ତି ଭାରତବର୍ଷରେ ମୁଣ୍ଡ ପିଛା ଇସ୍ପାତ୍ ବ୍ୟବହାର ମାତ୍ର ୭୦ କିଲୋଗ୍ରାମ ଥିବାବେଳେ ଏହାକୁ ବଢାଇବା ପାଇଁ ଧ୍ୟାନ ଦିଆଯାଉଛି । ଅନ୍ୟପଟେ ବିଶ୍ୱରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨୨୫ କିଲୋଗ୍ରାମ ଥିବାବେଳେ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୫୦୦ କିଲୋଗ୍ରାମ ମୁଣ୍ଡ ପିଛା ଇସ୍ପାତ୍ ବ୍ୟବହାର ହେଉଛି । ଓଡିଶାରେ  ଏହାକୁ ଅନ୍ୟୂନ ୧୫୦ କିଗ୍ରାରେ ପହଁଚାଇବାର ସମ୍ଭାବନା ରହିଛି । ଇସ୍ପାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତନ ଆସିବ ଏବଂ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ଇସ୍ପାତ୍ ବ୍ୟବହାର ବଢିଲେ ସାମାଜିକ ଭିତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ ।

ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଂଟ୍ ରେଗୁଲେସନ ଆକ୍ଟ(ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତନ କାରଣରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ । ପୂର୍ବରୁ କେବଳ ରୟାଲିଟି ଓ ସେଲ୍ସ୍ ଟ୍ୟାକ୍ସ ରାଜ୍ୟକୁ ମିଳୁଥିଲା । ସେ କହିଛନ୍ତି ଯେ ଦେଶର ୮୦ ପ୍ରତିଶତ ଖଣି ପୂର୍ବାଂଚଳରେ ରହିଛି । ରାଜ୍ୟରେ ଇସ୍ପାତ୍ ଶିଳ୍ପର ବିକାଶ ପାଇଁ ବିଜୁଳି ବିଲ୍ ଟାରିଫରେ ରହାତି ଦେବା ପାଇଁ ରାଜ୍ୟ
ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯେହେତୁ ରାଜ୍ୟରେ ପ୍ରଚୁର କୋଇଲା ସମ୍ପଦ ରହିଛି, ତେଣୁ ବିଜୁଳିକୁ କଂଚାମାଲ ଭାବେ କମ୍ ମୂଲ୍ୟରେ ବ୍ୟବହାର କରି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ତିଆରି କରି ଏହି ଶିଳ୍ପକୁ ବଢାଇବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେ କହିଛନ୍ତି ଯେ ଓଡିଶାରୁ ବୌଦ୍ଧ ଧର୍ମ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇଛି । କଳିଙ୍ଗ ଯୁଦ୍ଧ ଏଠାରେ ହୋଇଥିଲା ଏବଂ ଏହି ଯୁଦ୍ଧ ପରେ ସମ୍ରାଟ୍ ଅଶୋକା ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡିଶା-ଜାପାନ ସମ୍ପର୍କର ସେତୁ ହେଉଛି ବୌଦ୍ଧ ଧର୍ମ । ସେ କହିଛନ୍ତି ଓଡିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କଳା କୌଶଳର ଅନନ୍ୟ ଉଦାହରଣ ଓ ଇସ୍ପାତ୍‌
ଏହାର ମେରୁଦଣ୍ଡ । କୋଣାର୍କ ମନ୍ଦିର ଚୂଡରେ ଥିବା ଚୁମ୍ବକ ମନ୍ଦିରର ଢାଂଚାକୁ ଧରି ରଖିଥିଲା ଏବଂ ଚୁମ୍ବକୀୟ ପ୍ରଭାବ ଦ୍ୱାରା ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତି ଭୂମି ସଲଗ୍ନ ନହୋଇ ଏହାଠାରୁ ଟିକେ ଉପରେ ରହୁଥିଲା । ଏବେ ନୂଆ ଅର୍ଥନୀତିରେ କୋଣାର୍କରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.