ବାଲେଶ୍ୱର : ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ ଓ ତାଙ୍କଠୁ ବଡ଼ ଡକାୟତ ଦୁନିଆରେ କେହି ନାହାନ୍ତି । କିଛି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିକଟରେ ବାଲେଶ୍ବର ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ UPSCରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଏଭଳି କହିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଜ ଅଭିଭାଷଣରେ ବିଶ୍ବେଶ୍ବର କହିଥିଲେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ସବୁଠୁ ବଡ଼ ଡକାୟତ ।
ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ପରେ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ମଧ୍ୟ ବିଶ୍ବେଶ୍ବର ଟୁଡୁ ଏଭଳି ଭାବେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ଓ ତାଙ୍କୁ ଆକ୍ରମଣ କରି ବିବାଦକୁ ଆସିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଜଣେ କେନ୍ଦ୍ରମନ୍ତ୍ରୀ କିପରି ଭୂଲି ଯାଉଛନ୍ତି ଯେ, ତାଙ୍କ ନିଜ ଦଳରେ ମଧ୍ୟ ବହୁ ସର୍ବଭାରତୀୟ ସ୍ତରର ଅଧିକାରୀ ଅବସର ପରେ କିମ୍ବା ସ୍ବେଚ୍ଛାକୃତ ଅବସର ନେଇ ଦଳୀୟ କାର୍ଯ୍ୟଭାର ତୁଲାଉଛନ୍ତି। ତେବେ ବାଲେଶ୍ୱରରେ ଏପରି କହି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କାହାକୁ ଇଙ୍ଗିତ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଚି ହୋଇଛି ।
Comments are closed.