Latest Odisha News

BREAKING NEWS

‘ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା’ର ବିଜୟୀ ଓଡ଼ିଶା ଟିମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ‘ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା’ର ବିଜୟୀ ଓଡ଼ିଶା ଟିମକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ୍ ମେଡ଼ାଲ ଲାଭ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ୨୦୧୯ ମସିହା ଅଗଷ୍ଟ ମାସରେ ରୁଷିଆର କାଜାନଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱ କୌଶଳ ପ୍ରତିଯୋଗିତା ପାଇଁ ଶୁଭକାମନା ଜ୍ଞାପନ କରିଛନ୍ତି । ଏହି ପ୍ରତିଯୋଗିତା ସକାଶେ ଆବଶ୍ୟକ ବିଶ୍ୱସ୍ତରୀୟ ତାଲିମ ଓ ପ୍ରସ୍ତୁତି ନିମନ୍ତେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।

ମନ୍ତ୍ରୀ ପ୍ରଧାନ କହିଲେ ଯେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଯୁବ କୁଶଳୀ ପ୍ରତିଯୋଗୀମାନେ ସେମାନଙ୍କ ଉଲ୍ଲେଖନୀୟ ପ୍ରତିଭା, ନିଷ୍ଠା ଓ କଠିନ ଶ୍ରମର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ଉଚ୍ଚାକାଂକ୍ଷା ହିଁ ସେମାନଙ୍କୁ ଏଭଳି ଅନୁକରଣୀୟ କୌଶଳର ଅଧିକାରୀ କରାଇଛି ଏବଂ ତାହା ସେମାନେ ପ୍ରଦର୍ଶନ ଓ ପ୍ରମାଣିତ କରିପାରିଛନ୍ତି ।

ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା ଦେଶର ସର୍ବଶ୍ରେଷ୍ଠ କୌଶଳ ପ୍ରଦର୍ଶନର ଫୋରମ୍ । ଏହି କୁଶଳୀ କଳାକାରମାନଙ୍କୁ ବର୍ତମାନ ସମୟର “ଧର୍ମପଦ” ବୋଲି ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଲେ ଯେ ସେମାନେ ଏବେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଏବଂ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଯେ ବିଶ୍ୱ କୌଶଳ ପ୍ରତିଯୋଗିତାରେ ସେମାନେ ସମଗ୍ର ଦେଶ ପାଇଁ ଅନୁରୂପ ଗୌରବର ଅଧିକାରୀ ହୋଇପାରିବେ ।

ଏହି ଅବସରରେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜୟୀ ପ୍ରତିଯୋଗୀମାନଙ୍କୁ ବିଶେଷ ‘ନବକଳେବର’ ସ୍ମାରକୀ ମୁଦ୍ରା ଦେଇ ସମ୍ମାନିତ କରିଛନ୍ତି ।

Comments are closed.