Latest Odisha News

BREAKING NEWS

ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ଆଜି (ରବିବାର) ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବ ନିର୍ମିତ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ପୂର୍ବାଞ୍ଚଳ ଭାଷା କେନ୍ଦ୍ର ୭ ଏକର ଜାଗାରେ ତିଆରି ହୋଇଥିବାବେଳେ, ଏଥିପାଇଁ ଖର୍ଚ୍ଚ ହୋଇଛି ୧୬ କୋଟି ଟଙ୍କା । ଏଠାରେ ଏକ ବଡ ଅଡିଟୋରିୟମ ନିର୍ମାଣ ହେବ । ଆଉ ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଅନୁଷ୍ଠାନର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନ ମାନଙ୍କରେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଏସଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରୀ ସଦାଶିବ କ୍ୟାମ୍ପସରେ ଗତକାଲି ୧୦୦ କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି । ଆଜିର ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଆ ଭାଷା ସମେତ ଶାନ୍ତାଳୀ, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ । ଏହା ଏକ ସାରସ୍ୱତ କ୍ଷେତ୍ର ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜି ଦେଶ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରୁଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ, ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାକୁ ଲୋକାଦୃତ କରିବା ତଥା ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବରରେ ସମସ୍ତ ସ୍କୁଲ ଏବଂ କଲେଜରେ ବିଶେଷ ଧରଣର ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିପାଇଁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଏବଂ ଭାରତୀୟ ଭାଷା ସଂସ୍ଥାନକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

ସେହିପରି, ୧୯୩୬ ଏପ୍ରିଲ ୧ ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ସେହି ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶା ୨୦୩୬ରେ ୧୦୦ ବର୍ଷ ପୂରଣ ହେବ । ଏକବିଂଶ ଶତାବ୍ଦୀରେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରୁଥିବା ବେଳେ ପୃଥିବୀର ବୌଦ୍ଧିକ କେନ୍ଦ୍ର ଓଡ଼ିଶା ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷା ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ସିଆଇଆଇଏଲ, ମହୀଶୂର ଏବଂ ଏନସିଇଆରଟି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାର, ଓଡ଼ିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସଚିବ ଏସ.ଅଶ୍ୱଥୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.