Latest Odisha News

ଭୁନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ, ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି ଓ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ରବିବାର ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ପ୍ରଦର୍ଶନୀକୁ ଲୋକାର୍ପଣ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଛନ୍ତି। ସମ୍ମିଳନୀର ବିଷୟବସ୍ତୁ ରହିଛି, ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’।

ଏହି ପ୍ରଦର୍ଶନୀରେ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତ୍‌ମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କ ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ। ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍‌ ସମ୍ବଲପୁର, ମେଟା, ୟୁନିସେଫ୍‌, ଏନ୍‌ସିଇଆର୍‌ଟି, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସଂଗଠନଗୁଡ଼ିକ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରି ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ଏଠାରେ ପ୍ରଦର୍ଶିତ କରିବେ। ଏଥିରେ ଭାରତ ଏବଂ ଜି-୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ । ସେହିପରି ବିଶ୍ୱ ସେମି କଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ଦୃଷ୍ଟିକୋଣ, ଡିଜିଟାଇଜେଶନ ଏବଂ ନୂଆ ଯୁଗର ଷ୍ଟାର୍ଟଅପ ଆଦି ବିଷୟ ଉପରେ ଆଲୋଚନା କରାଯିବ। ଏହାବ୍ୟତୀତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ ପ୍ରତିଷ୍ଠା କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍‌ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ। ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ଏବଂ ଡିଜିଟାଇଜେଶନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇବେ।

ପ୍ରଦର୍ଶନୀ ସମୟରେ କୃଷି, ପରିବହନ ଓ ସ୍ବାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ମେଟାଭର୍ସ ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ବୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ, ଶିଳ୍ପ ୪.୦ କୌଶଳ, ଭର୍ନାକୁଲାର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ନଶିପ ସମାଧାନ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୨୩ ଓ ୨୪ ଦୁଇଦିନ ଧରି ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Comments are closed.