ଝାରସୁଗୁଡା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସମୁଦାୟର ପ୍ରତିନିଧିତ୍ୱ କାହିଁ କେଉଁ କାଳରୁ ରହିଆସିଛି । ଜନଜାତିକୁ ବାଦ୍ ଦେଇ ଓଡ଼ିଆ ସଭ୍ୟତାର ପରିକଳ୍ପନା ଅସମ୍ଭବ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଜନଜାତୀୟ ମୂଳକୁ ମନେ ପକାଇ ଓଡ଼ିଆ ଜାତି ସବୁବେଳେ ଗର୍ବ କରିଆସିଛି ।
ଝାରସୁଗୁଡ଼ା କୋଲାବିରାର ଗୋଁଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗୋଁଣ୍ଡ ସମୁଦାୟର ଅନ୍ୟତମ ସର୍ବମାନ୍ୟ ମୁଖିଆ । ପୃଥିବୀର ସର୍ବପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଗୋଁଣ୍ଡ ସମୁଦାୟ ଓଡ଼ିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି । ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିବା ସହ ଝାରସୁଗୁଡ଼ାବାସୀ ଏବଂ ଗୋଁଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ ।
ଆମେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଜନଜାତି ସମାଜର ସଂଗ୍ରାମୀ ବୀର ବୀରାଙ୍ଗନାମାନଙ୍କର ଅକୁହା-ଅଲେଖା କଥା-କାହାଣୀଗୁଡ଼ିକୁ ଲୋକଲୋଚନକୁ ଆଣିବାର ଗୁରୁଦାୟିତ୍ୱ ବି ଆମେ ତୁଲାଉଛେ । ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଗତ ୧୧ ତାରିଖରେ ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ସ୍ଥାନୀୟ ସମାଜର ଦାବୀ କ୍ରମେ ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ ।
Comments are closed.