ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି । କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ଏବଂ ଯୋଜନା ଓ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ଭାରତର ଜନସାଧାରଣଙ୍କ ଜୀବନରେ ଆସିଥିବା ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଦର୍ଶାଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ସରକାରଙ୍କ ଅନେକ ଉପଲବ୍ଧି, ଯାହା ସହ ଜଡ଼ିତ କ୍ୟାଲେଣ୍ଡରର ଚିତ୍ର ଓ ପୃଷ୍ଠାଗୁଡ଼ିକୁ ମନେ ପକାଇଥିଲେ।
ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ହେବା ଦିଗରେ ଭାରତ ବହୁତ ଅଗ୍ରଗତି କରିଛି । ମୋବାଇଲ ଫୋନ୍ ର ଦ୍ବିତୀୟ ବୃହତ୍ତମ ଆମଦାନୀକାରୀ ଦେଶ ଆଜି ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ। ଯେଉଁ ଦେଶ ଟିକା ଆମଦାନୀ କରୁଥିଲା ସେହି ଦେଶ ଏବେ ଟିକା ମୈତ୍ରୀ ଅଧୀନରେ ସମଗ୍ର ବିଶ୍ୱକୁ ଟିକା ବଣ୍ଟନ କରୁଛି। ଭାରତ ଏବେ ଏକ ଉତ୍ପାଦନକାରୀ ଦେଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରେ ଭାରତୀୟ ଉପସ୍ଥିତି ନଥିଲା, ସେଠାରେ ମଧ୍ୟ ଭାରତ ଏବେ ଏକ ଶକ୍ତି ଏବଂ ଏହାର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତ ଆଜି ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍।
ଶ୍ରୀ ଠାକୁର କହିଥିଲେ ଯେ ସରକାର ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଏହାର ଉଦାହରଣ ଗୋଟିଏ ପଟେ ଉଜ୍ଜ୍ୱଳା ଯୋଜନା ଏବଂ ଅନ୍ୟପଟେ ଡ୍ରୋନ୍ ଦିଦି। କୃଷକ କଲ୍ୟାଣ ପ୍ରସଙ୍ଗରେ ଶ୍ରୀ ଠାକୁର କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିଛନ୍ତି। ଏହାବ୍ୟତୀତ କୃଷକଙ୍କ ସମୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ ୨.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଉଦ୍ଦେଶ୍ୟ ଏବଂ ଏହି ନୀତି ହିଁ ଭାରତକୁ ଏକଦା ଦୁର୍ବଳ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଗୋଟିଏରୁ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଞ୍ଚାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ମୂଲ୍ୟବୋଧର ଭାବନା ଶୀର୍ଷରୁ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି। ଆଶାବାଦୀ ଭାବରେ ନିଜର ଅଭିଭାଷଣ ଶେଷ କରି ଶ୍ରୀ ଠାକୁର କହିଥିଲେ ଯେ ୨୦୨୩ ଶେଷ ହେବା ସହିତ ୨୦୨୪ ଏକ ନୂଆ ସୁଯୋଗ ଆଣିଛି। ସାରା ବିଶ୍ୱ ଆଶାର ସହ ଭାରତ ଆଡକୁ ଚାହିଁ ରହିଛି, ନେତୃତ୍ୱ ପାଇଁ ବିଶ୍ୱ ଭାରତ ଉପରେ ନଜର ରଖିଛି । ଏହି ଅବସରରେ ମନ୍ତ୍ରୀ ‘ଆମ ସଂକଳ୍ପ ବିକଶିତ ଭାରତ’ ଶୀର୍ଷକ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।
Comments are closed.