ବାରିପଦା: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ । କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଲେ ସାଧାରଣ ଜନତା । ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ କଲେ ଢ଼େଲା ମାଡ଼ । ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍ କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ହୋହଲ୍ଲା । ତେବେ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍ଙ୍କ ମୁଣ୍ଡ ଫାଟିଥିବା ନେଇ ସୂଚନା ମିଳିଛି । ବାଙ୍ଗିରିପୋଷି ଷ୍ଟେସନ୍ ଛକରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ୨ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ।
ସୂଚନା ଅନୁସାରେ, କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ ହୋଇଛି । ମୟୂରଭଞ୍ଜ ବାଙ୍ଗିରିପୋଷି ଅଂଚଳରେ ଘଟିଛି ଏ ଘଟଣା। ଘର ଓ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକ।
ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଆଜି ଅନଲାଇନ୍ରେ ଟଙ୍କା ମିଳିବ । ଯେଉଁମାନଙ୍କ ଆଧାର ଲିଙ୍କ୍ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ସୂଚନା ଦେଇଛନ୍ତି ମନ୍ତ୍ରୀ ।
Comments are closed.