Latest Odisha News

କ’ଣ ଏହି ଗୁପ୍ତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା? ଯେଉଁଥିରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ…

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଶାକ୍ତ ଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ସହିତ ମା ଦୁର୍ଗା ବିମାନରେ ବସି ବିଜେ କରିଛନ୍ତି ନାରାୟଣ ମନ୍ଦିର । ଯାହା ସାରା ଭାରତ ବର୍ଷରେ ବିରଳ । ତେବେ ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜା ବେଳେ ପ୍ରଭୁ ଜଗନ୍ନାଥଙ୍କ ସହ ମା’ ଦୁର୍ଗାଙ୍କ ଅନନ୍ୟ ନୀଳା ଦେଖିବାକୁ ମିଳିଥାଏ ।

ତେବେ କ’ଣ ଆପଣ ଜାଣନ୍ତି ରାଜ୍ୟରେ ଦୁର୍ଗାମାଧବଙ୍କ ପୂଜାର ଉତ୍ପତ୍ତି କେବେ ହୋଇଥିଲା ? ଏହା ଆମେ ସମସ୍ତ ଜାଣିଛେ ଯେ ଓଡିଶା ପ୍ରଦେଶ ଉତ୍କଳର ନାଁ ଦିନେ ଉଡ୍ର ଥିଲା । କେହି କେହି ଏହାକୁ ଓଡ୍ର ବି କୁହନ୍ତି । ଯାହା ତନ୍ତ୍ର ସାଧନା ପାଇଁ ଏକମାତ୍ର ହିଁ ଉପଖଣ୍ଡ ଭାବେ ପରିଚିତ ଥିଲା । ଯାହାର ପରମକର୍ତ୍ତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଉଡିୟାନ କ୍ଷେତ୍ର ଶ୍ରୀକ୍ଷେତ୍ରର ରାଜେଶ୍ବରୀ ମା’ ବିମଳା । ଯାହାଙ୍କର ଉପସନା ଉଡୀୟାନ କ୍ଷେତ୍ରର ମୂଳମନ୍ତ୍ର । ପରବର୍ତ୍ତୀ ସମୟରେ ବର୍ଦ୍ଧନ ରାଜ ଗୁରୁ ଯିଏ ଏହି ଶରତକାଳୀନ ଦୁର୍ଗୋତ୍ସବର ପ୍ରଣେତା ସେ ଦୁଇ ଠାକୁରଙ୍କ ଉପାସନାକୁ ଦୁର୍ଗାମାଧବ ଉପାସନା ଭାବେ ଆରମ୍ଭ କରିଥିଲେ ।

ତେବେ ପ୍ରତିବର୍ଷ ଶରତ ଋତୁ ଆସିଲେ ଆଶ୍ବିନ ମାସ କୃଷ୍ଣ ଅଷ୍ଟମୀ ତିଥି ଠାରୁ ଆଶ୍ବିନ ଶୁକ୍ଳ ବା ମହାନବମୀ ପର୍ଯ୍ୟନ୍ତ ଦୁର୍ଗାମାଧବଙ୍କ ଉପାସନା କରାଯାଇଥାଏ । ତେବେ ଉଡୀୟାନ ସଂସ୍କୃତିରେ ବିଷ୍ଣୁ ଭୈରବୀ ରୂପ ଧରି ମା ଶକ୍ତିଙ୍କ ଆଗରେ ଆବିର୍ଭାବ ହୋଇଥିଲେ । ଆଉ ଜଗନ୍ନାଥ ସଂସ୍କୃତି ମଧ୍ୟ କହୁଛି ବିଷ୍ଣୁ ଓ ଶିବ ଏକ ।  ତେଣୁ ବିଷ୍ଣୁ ରୂପେ ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥ ଧରାପୃଷ୍ଠରେ ନୀଳା ଖେଳା କରିଆସିଛନ୍ତି । ଏହା ସହିତ ପ୍ରଭୁ ଶିବଙ୍କୁ ଦୁର୍ଗାଙ୍କ ପତି ଭାବେ ମଧ୍ୟ ଗ୍ରହଣ କରାଯାଏ । ତେଣୁ ପ୍ରତିବର୍ଷ ଶାରଦୀୟ ପୂଜା ତଥା ଷୋଡଶ ଦିନାତ୍ମକ ପୂଜା ବେଳେ ମା ଶକ୍ତିଙ୍କ ଉପାସନା ସହିତ ମହାପ୍ରଭୁ ମାଧବ ରୂପେ ମା’ଙ୍କ ସହ ପୂଜା ପାଆନ୍ତି ।

ତେବେ ଶ୍ରୀମନ୍ଦିରରେ ଏହି ଷୋଡଶ ଦିନାତ୍ମକ ପୂଜା ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିରରେ ଗୋଟିଏ ଖଟରେ ବସି ଏକତ୍ର ରୁନ୍ଧା ହୋଇ ଉପାସିତ ହୋଇଥାନ୍ତି । ମୂଳା ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହି ଉପସନାକୁ କୁହାଯାଏ ଗୁପ୍ତ ଗୁଣ୍ଡିଚା । ଆଉ ପର ୮ ଦିନ ଦୁର୍ଗାମାଧବ ଗୋଟିଏ ରଥରେ ବିଜେ କରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ଉପାସିତ ହୁଅନ୍ତି। ଅମାବାସ୍ୟା ଠାରୁ ମହାନବମୀ ପର୍ଯ୍ୟନ୍ତ ଏହି ଉପାସନାକୁ ଶାକ୍ତ ଗୁଣ୍ଡିଚା କୁହାଯାଏ । ଯାହାକି ଦୁର୍ଗାମାଧବଙ୍କ ବାହ୍ୟ ଆଡମ୍ବର ।

Leave A Reply

Your email address will not be published.