ଆସାମ: ଦୁନିଆର ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ଶିକ୍ଷା ପାଇବା ଦ୍ୱାରା ସମାଜ ପାଇଁ କିଛି କରିବାକୁ ସକ୍ଷମ ହୋଇଥାନ୍ତି । କିନ୍ତୁ ଆଜିର ସମୟରେ ଲୋକେ ଶିକ୍ଷାର ମୂଲ୍ୟ ଠିକ୍ ଭାବେ ବୁଝୁଛନ୍ତି । ତେଣୁ ଏବେ ଶିକ୍ଷା ମହଙ୍ଗା ହେବାକୁ ଲାଗିଛି । ଆଜିକାଲି ଯଦି ପିତାମାତା ନିଜ ପିଲାଙ୍କୁ ଭଲ ସ୍କୁଲରେ ଶିକ୍ଷା ଦେବାକୁ ଚାହାଁନ୍ତି, ତେବେ ଏଥିପାଇଁ ସେମାନଙ୍କୁ ଆଗରୁ ଅର୍ଥ ସଞ୍ଚୟ କରିବାକୁ ପଡ଼ୁଛି । କାରଣ ସ୍କୁଲର ଫି ଚଢା ହୋଇଥାଏ । କିନ୍ତୁ ଆମ ଦେଶରେ ଏମିତି କିଛି ସ୍କୁଲ ଅଛି, ଯେଉଁଠି ପିଲାଙ୍କୁ ପଢାଇବାକୁ ହେଲେ ପ୍ରତି ମାସରେ ଫି ନୁହେଁ, ୧୦୦ ପ୍ଲାଷ୍ଟିକ ବୋତଲ ଜମା କରିବାକୁ ପଡ଼ିଥାଏ । ଏବେ ସୋସିଆଲ ମିଡିଆରେ ଏହି ସ୍କୁଲ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଭଳି ଏକ ସ୍କୁଲ ଭାରତର ଆସାମ ରାଜ୍ୟରେ ଅଛି । ଗୁଆହାଟିରେ ଥିବା ଏହି ସ୍କୁଲ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି, ଯାହା ବର୍ତ୍ତମାନ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି । ଏଠାରେ ଗ୍ରାମାଞ୍ଚଳର ଶହେରୁ ଅଧିକ ପିଲା ପଢୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ସ୍କୁଲରେ ପିଲାମାନଙ୍କୁ ଫି’ ହିସାବରେ ଟଙ୍କା ନୁହେଁ, ୧୦୦ଟି ପ୍ଲାଷ୍ଟିକ ବୋତଲ ଜମା କରିବାକୁ ପଡେ । ଏଠାରେ ପଢୁଥିବା ପିଲାମାନେ ସେମାନଙ୍କ ଅଧ୍ୟୟନ ସହିତ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥାନ୍ତି ।
ପ୍ରତି ସପ୍ତାହରେ ପିଲାମାନଙ୍କୁ ୨୫ଟି ଖାଲି ପାଣି ବୋତଲ ଜମା କରିବାକୁ ପଡ଼ିଥାଏ । ଏହିଭଳି ପ୍ରତି ମାସରେ ୧୦୦ ବୋତଲ ଜମା କରନ୍ତି । ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଏହି ସ୍କୁଲ ଖୋଲିବାର ସଂକଳ୍ପ ନେଇଥିଲେ । ଅଳିଆ ଆବର୍ଜନା ଏବଂ ଶିକ୍ଷାର ଅଭାବ ଦେଖି ଏହି ସ୍କୁଲ ଖୋଲିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେମାନେ ପିଲାମାନଙ୍କୁ ଭଲ ଶିକ୍ଷା ଏବଂ ସମାଜ ପାଇଁ କିଛି ଭଲ ବାର୍ତ୍ତା ଦେବାକୁ ଚାହୁଁଥିଲେ । ଏହି ସ୍କୁଲରେ ପିଲାମାନେ ଅଧ୍ୟୟନ ସହିତ ପ୍ଲାଷ୍ଟିକ ବୋତଲରୁ ଅନେକ ପ୍ରକାରର ଜିନିଷ କିପରି ତିଆରି କରାଯାଏ, ତାହା ଏଠାରେ ଶିକ୍ଷା ଦିଆଯାଇଥାଏ ।
Comments are closed.