Latest Odisha News

BREAKING NEWS

ଏମିତି ଏକ ମନ୍ଦିର: ଯେଉଁଠି ଜୋତା, ଟୋପି, ଚଷମା କରାଯାଏ ପୂଜା

ଭୋପାଳ: ଲୋକେ ମନସ୍କାମନା ପୂରଣ ପାଇଁ କ’ଣ ନାହିଁ କ’ଣ କରିଥାନ୍ତି । କେହି ମିଠା, ପ୍ରସାଦ ଦେଉଥିବା ବେଳେ ଆଉ କେହି ଶାଢି,ଚୁଡ଼ି ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠି ନିଜର ମାନସିକ ପୂରଣ କରିବାକୁ ଏକ ଅଜବ ପରମ୍ପରା ଚଳି ଆସୁଛି । ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ମା’ଙ୍କ ନିକଟରେ ଜୋତା, ଟୋପି,ଚଷମା ଆଦି ପ୍ରଦାନ କରନ୍ତି ।

ମା’ ଙ୍କ ଏହି ମନ୍ଦିର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର କୋଲାରସ୍ଥିତ ଏକ ପାହାଡ଼ ଉପରେ ରହିଛି । ଏହା ସ୍ଥାନୀୟ ଅଂଚଳରେ ସିଦ୍ଧିଦାତ୍ରୀ ପାହାଡ଼ବାଲା ମାତା ଭାବେ ବେଶ୍ ପରିଚିତ । ଏଥିସହିତ ଜିଜା ବାଇ ମନ୍ଦିର ଭାବେ ମଧ୍ୟ ଲୋକେ ଜାଣନ୍ତି । ମା’ଙ୍କ ନିକଟରେ ଜୋତା ଅର୍ପଣ କରିବାର ଏକ ନିଆରା କାହାଣୀ ରହିଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଓମ୍ ପ୍ରକାଶ ନାମକ ଜଣେ ବ୍ୟକ୍ତି ଏହି ମନ୍ଦିର ନିର୍ମାଣ କରିଥିଲେ । ଏଠାରେ ମା’ଙ୍କୁ ପୂଜା କରିବା ସହ ଶିବ-ପାର୍ବତୀଙ୍କ ବିବାହ କରିଥିଲେ । ପରେ ପାର୍ବତୀଙ୍କୁ ନିଜର ଝିଅ ଭାବି କନ୍ୟାଦାନ ମଧ୍ୟ କରିଥିଲେ । ଏହାପରେ ଲୋକେ ଏହି ଦେବୀଙ୍କୁ ନିଜର ଝିଅ ଭାବି ପୂଜା କରି ଆସୁଛନ୍ତି । ଯେପରି ନିଜ ଝିଅକୁ ଉପହାର ଦେଇଥାନ୍ତି ଠିକ୍ ସେହିପରି ମା’ଙ୍କୁ ଜୋତା ଅର୍ପଣ କରି ପୂଜା କରିଥାନ୍ତି । ଲୋକେ ଏଠାରେ ଯେଉଁ ମାନସିକ ରଖିଥାନ୍ତି ତାହା ପୁରଣ ହେବା ପରେ ଜୋତା ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । କେବଳ ସେତିକି ନୁହେଁ ଲୋକେ ମା’ଙ୍କ ନିକଟରେ ବସ୍ତ୍ର,ଟୋପି, ଚଷମା,ଘଂଟା ଆଦି ଦାନ କରିଥାନ୍ତି । କେବଳ ସ୍ଥାନୀୟ ଲୋକେ ନୁହେଁ ମା’ଙ୍କ ନିକଟକୁ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଚପଲ ଦାନ କରିଥାନ୍ତି । ଉକ୍ତ ଜୋତାକୁ ମା’ଙ୍କ ନିକଟରେ ଗୋଟିଏ ଦିନ ରଖିବା ପରେ ତାହାକୁ ଶ୍ରଦ୍ଧାଳୁଙ୍କୁ ବାଣ୍ଟି ଦିଆଯାଇଥାଏ ।

Comments are closed.