ଭୁବନେଶ୍ୱର: ଭାରତୀୟ ହକି ଦଳର ୪ ଜଣ ସ୍ୱନାମଧନ୍ୟ ଖେଳାଳିଙ୍କୁ ଭେଟିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏହି ଛାତ୍ରଛାତ୍ରୀମାନେ ଅନେକ ଆଲୋଚନା ମଧ୍ୟ କରିଛନ୍ତି।
ଆଲୋଚନାରେ ଗୋଟିଏ ପ୍ରଶ୍ନ ଥିଲା, ‘‘ଖେଳ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ପରେ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ- ତୃତୀୟାଂଶ ବାକି ଅଛି। ମାତ୍ର ୧୦ ଜଣ ଖେଳାଳିଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍କୁ ପରାଜିତ କରିପାରିଲା ? ’’
ଉତ୍ତରରେ ମିଡିଲ ଅର୍ଡର ପ୍ଲେୟାର ସମଶେର କହିଥିଲେ, ‘‘ଅମିତଙ୍କୁ ଖେଳରୁ ବାହାର କରିଦେବା, ଭାରତୀୟ ଦଳ ପାଇଁ ଏକ ଝଟକା ଥିଲା। କାରଣ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ। ହେଲେ ଆମ ମଧ୍ୟରେ ଏକତା ଥିବାରୁ ସେ ପରିସ୍ଥିତରେ ଆମେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସୁଟ୍ ଆଉଟ୍ରେ ମ୍ୟାଚ ୪-୨ ରେ ଜିତି ପାରିଲୁ।’’
ଏହି ଆଲୋଚନାରେ ସମ୍ଶେରଙ୍କ ବ୍ୟତୀତ ଜରମନ୍ପ୍ରୀତ ସିଂହ, ରାଜକୁମାର ପାଲ ଓ ବରୁଣ କୁମାର ମଧ୍ୟ ଯୋଗ ଦେଇଥିଲେ। ଏହି ୪ଜଣ ଖେଳାଳି ଦିଲ୍ଲୀ ଏସଜି ପାଇପର୍ସ ଦଳ ପକ୍ଷରୁ ରାଉକେଲାଠାରେ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗରେ ଭାଗ ନେବା ପୂର୍ବରୁ ଭୁବନେଶ୍ୱରରେ ଅଭ୍ୟାସ କରୁଛନ୍ତି । ସେମାନଙ୍କ ସହିତ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ତଥା ଏସଜି ସ୍ପୋର୍ଟସ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟର ଉପସଭାପତି ଦିଗ୍ବିଜୟ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।
ପ୍ୟାରିସ୍ରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଉପସ୍ଥିତ ଥିବା ଶ୍ରୀ ସିଂହଦେଓ କହିଥିଲେ ଯେ, ଅମିତଙ୍କୁ ରେଡ କାର୍ଡ ମିଳିବା ପରେ ଏହି ମ୍ୟାଚରେ ଭାରତ ଜିତିବ ବୋଲି କେହି ଚିନ୍ତା କରିନଥିଲେ। ମାତ୍ର ଭାରତୀୟ ଦଳ ଅଭୂତପୂର୍ବ ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟୀ ହୋଇପାରିଥିଲା।
ଏହି ଅବସରରେ ମିଡିଲ ଅର୍ଡର ପ୍ଲେୟାର ରାଜକୁମାର ପାଲ କହିଥିଲେ, ଭାରତୀୟ ଦଳରେ ସବୁ ଖେଳାଳି ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି । ନିଜ କ୍ରୀଡ଼ା ଜୀବନର ଆରମ୍ଭରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଅଭିଯୋଗ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାକୁ ଯାଉଥିଲା ବୋଲି ଜରମନ୍ପ୍ରୀତ ସିଂହ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ସେ କହିଥିଲେ ‘‘ଏହି ଅଭିଯୋଗ ମୋତେ ନିରାଶ କରିଥିଲା। ମାତ୍ର ମୋର ପରିବାରବର୍ଗ ମୋତେ ସଂପୂର୍ଣ୍ଣ ସମର୍ଥନ କରିଥିଲେ। ମୁଁ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରି ନିଜକୁ ଉତ୍ସାହିତ କରିଥିଲି ବୋଲି ସେ କହିଥିଲେ।’’
ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବରୁଣ କୁମାର କହିଥିଲେ, ଯଦିଓ ଦେଶରେ କ୍ରିକେଟ ପ୍ରତି ଅଧିକ ସମର୍ଥନ ଥିବା ଜଣାପଡ଼େ, ଭାରତୀୟ ହକି ଦଳ କ୍ରମାଗତ ଦୁଇଥର ଟୋକିଓ ଏବଂ ପ୍ୟାରିସ୍ ଅଲମ୍ପିକସ କ୍ରୀଡ଼ାରେ କ୍ରମାଗତ ଭାବେ ବ୍ରୋଞ୍ଜ ପଦକ ଲାଭ କରିବା ପରେ ହକି ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଆପଣମାନେ ହକିକୁ ସମର୍ଥନ ଜଣାଇ ଏହାର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ଭାରତର ଗୌରବ ବୋଲି କହିଥିଲେ। ଜରମନ୍ପ୍ରୀତ ସିଂହ ଛାତ୍ରଛାତ୍ରୀମାନଙ୍କୁ ହକି ଇଣ୍ଡିଆ ଲିଗ୍ରେ ଦିଲ୍ଲୀ ଏସଜି ପାଇପର୍ସ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପରିଚାଳନା କରିଥିଲେ।