Latest Odisha News

କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର, ବଢୁଛି ସନ୍ଦେହ

ପୁରୀ: କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର। ଗତକାଲି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନରଟି ରାତି ଅଧରେ କୂଳରେ ଆସି ଲାଗିଛି। କଣ୍ଟେନରକୁ ଦେଖିବାକୁ ପୁରୀ ପେଣ୍ଠକଟା ନିକଟ ବେଳାଭୂମିରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳକୁ ଚାଲି ଆସିଛି। ଗତକାଲି ପୁରୀ ସମୁଦ୍ରରେ ଅଜଣା କଣ୍ଟେନର ଭାସମାନ ଅବସ୍ଥାରେ ଦୃଶ୍ୟମାନ ହୋଇଥିଲା। ଏହିଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପେଣ୍ଠକଟାର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ବେଳେ ଅଜଣା କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ।

ସେହି କଣ୍ଟେନରକୁ କୂଳକୁ ଆଣିବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ ବହୁତ ଓଜନ ହୋଇଥିବା ହେତୁ କୂଳକୁ ଅଣାଯାଇ ପାରିନଥିଲା। ତେବେ ବିଳମ୍ବିତ ରାତିରେ ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳରେ ଲାଗିଥିବା ଜଣାପଡ଼ିଛି। ତେବେ କେଉଁଠୁ ଆସିଲା ଏହି କଣ୍ଟେନର ତାହା ସ୍ପଷ୍ଟ ହୋଇନାହିଁ। କୌଣସି ଏକ ଜାହାଜରୁ କଣ୍ଟେନର ଖସିପଡିଥିବା ସନ୍ଦେହ କରାଯାଉଛି।

Comments are closed.