ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ । କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ବାରା ଯାତ୍ରା କରିବାକୁ ଅନୁମତି ଦେଇଛି ରେବାଇ ।
ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ସେହିପରି ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୦୮୫୨୧/୦୮୫୨୨ ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, ୦୮୫୨୭/୦୮୫୨୮ ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ ୦୭୨୬୫/୦୭୨୬୬ କାକିନାଡା-ବିଶାଖାପାଟନମ୍-କାକିନାଡା ବିଶେଷ ଟ୍ରେନରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି ।
ଏହାଛଡା ଖୁବଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ-ପୁରୀ-ଖୋର୍ଦ୍ଧା ରୋଡ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡଗପୁର-ଭଦ୍ରକ-ଖଡଗପୁର ସ୍ପେଶାଲ୍ ଟ୍ରେନରେ ୟୁଟିଏସ ଟିକେଟରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । କୋଭିଡ ପାଇଁ ଟ୍ରେନ ଯାତ୍ରା ସମ୍ବନ୍ଧୀୟ ଗାଇଡଲାଇନ୍ ଅନୁଯାୟୀ, ସମ୍ପୂର୍ଣ୍ଣ ଓ୍ବେଟିଂଲିଷ୍ଟ ଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ । ତେଣୁ ଅଣସଂରକ୍ଷିତ ୟୁଟିଏସ ଟିକେଟକୁ ଏହିସବୁ ସୀମିତ ଟ୍ରେନ୍ ଗୁଡିକରେ ଅନୁମତି ଦିଆଯାଉଛି ।
Comments are closed.