ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।
ପୁଲିସ୍ କହିଛି, ଏକ ବନ୍ଧୁକଧାରୀ ସ୍କୁଲ ଭିତରେ ଗୁଳି ଚଳାଇଥିଲେ। ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ଆମେରିକାରେ ସ୍କୁଲ ଗୁଳିମାଡ଼ର ଏକ ଦୁଃଖଦ ଚିତ୍ର ଦେଖାଉଛି। ୨୦୨୪ରେ ଆମେରିକାରେ ୮୦ରୁ ଅଧିକ ସ୍କୁଲ ଗୁଳିମାଡ଼ ଘଟଣା ରେକର୍ଡ ହୋଇଛି। ଗତ ଡିସେମ୍ବରରେ ମିନେସୋଟାର ମ୍ୟାଡିସନରେ ଅବଣ୍ଟାଣ୍ଟ ଲାଇଫ୍ କ୍ରିଶ୍ଚିଆନ ସ୍କୁଲରେ ହୋଇଥିବା ଗୁଳିମାଡ଼ରେ ୩ ଜଣ ମୃତ୍ୟୁବରଣ କରିଥିଲେ। ଏହା ପୂର୍ବରୁ ଫେବୃଆରୀ ୨୦୨୨ରେ ମିନିଆପୋଲିସ୍ ନିକଟ ଏକ ସ୍କୁଲ ବାହାରେ ଗୁଳିମାଡ଼ରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍ ଘଟଣାର ତଦନ୍ତ କରୁଛନ୍ତି। ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଅଭିଭାବକମାନେ ଆତଙ୍କିତ ଅବସ୍ଥାରେ ସ୍କୁଲ ନିକଟରେ ପହଞ୍ଚିଛନ୍ତି। ଆମେରିକାରେ ବନ୍ଧୁକ ସଂସ୍କୃତି ଏବଂ ସ୍କୁଲ ନିରାପତ୍ତା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ନେତା ଓ ସମାଜସେବୀମାନେ ଏହାକୁ ନିନ୍ଦା କରିଛନ୍ତି।
ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ବନ୍ଧୁକ ନିୟନ୍ତ୍ରଣ ଆଇନ ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ସତ୍ତ୍ୱେ ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ନେଇ ରାଜନୈତିକ ବିଭେଦ ଜାରି ରହିଛି।
Comments are closed.