ଭୁବନେଶ୍ବର: କଥାରେ ଅଛି “ଚାଷ ତରତର ବଣିଜ ମଠ,ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚାଷୀ ହୁଡିଲେ ବରଷେ” । ଆଉ ଏବେ ଅଦିନିଆ ବର୍ଷା ବର୍ଷକର ପରିଶ୍ରମ ଧୋଇଦେଇଛି । ଆଉ ଦେଇ ଯାଇଛି ଅସୁମାରୀ କୋହ । ଯାହାକୁ ସପ୍ତାହେ ପୂର୍ବରୁ ଦେଖି ଚାଷୀ ଭାଇ ଠୋ ଠୋ କରି ହସୁଥିଲା ଆଜି ସେହି ସୁନାର ଫସଲର ଏପରି ଅବସ୍ଥା ଦେଖି ତା ଛାତିଫାଟିପଡୁଛି । ଚଳିତ ବର୍ଷ ବିଲରେ ଫସଲ ଭଲ ହୋଇଥିବାରୁ ଏଇ ଦିନ ଦୁଇ ଦିନ ଭିତରେ ଘରକୁ ଆଣି ଅମଳ କରି ଏଥର ଲାଭ ଭଲ ହେବ ବୋଲି ଯେଉଁ ଆଶା ରଖିଥିଲା ଏବେ ଅଦିନିଆ ବର୍ଷା ସେ ଆଶକୁ ଭାଙ୍ଗି ଚୁନମାର କରିଛି । କୋଉଠି ବିଲରେ ଧାନ ଗଜା ହେଲାଣି ତ ଆଉ କେଉଁଠି ବିଲରେ ଖତ ହେଉଛି ପନିପରିବା ସାଙ୍ଗକୁ ଅନେକ ଫସଲ । ଆଉ ସାରା ରାଜ୍ୟରେ ଜମିରେ ଭାସୁଛି ଧାନକେଣ୍ଡା । ବର୍ଷକର ପରିଶ୍ରମ ପାଣିରେ ଭାସୁଥିବା ଦେଖି ଏବେ ମୁଣ୍ଡରେ ହାତ ଦେଇଛି ଚାଷୀ ଭାଇ ।
ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ପୁରୀ ଅଞ୍ଚଳ ମାନଙ୍କରେ ବେଶୀ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି । ପୁରୀ କୃଷ୍ଣପ୍ରସାଦ ଶିଆଳ ପଞ୍ଚାୟତର ପୁଟୁ ମୋରଡା ଗାଁରେ ଲଘୁଚାପ ବର୍ଷା କାରଣରୁ ଚିନାବାଦମ ଚାଷ ପ୍ରଭାବିତ ହୋଇଛି । ମୁଣ୍ଡ ଟେକୁଥିବା ଚିନାବାଦାମ ଗଛର ଏବେ ଚେର ପଚିବାକୁ ଆରମ୍ଭ କଲାଣି । ସେହିପରି ରାଜ୍ୟର ଉପକୂଳ ଅଞ୍ଚଳ ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଦିନିଆ ବର୍ଷା ପାଇଁ ଖରିଫ୍ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବାକୁ ବସିଛି। କେବଳ ଧାନ ନୁହେଁ, ରବି ଫସଲ ପାଇଁ ବିଲରେ ବୁଣା ହୋଇଥିବା ମୁଗ, ବିରି ବିହନ ମଧ୍ୟ ଧୋଇ ଯାଇଛି। କେତେକ ସ୍ଥାନରେ ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ସରକାରଙ୍କ ସହାୟତା ଲୋଡିଛନ୍ତି ଚାଷୀ ଭାଇ ।
ଏହାରି ଭିତରେ କେନ୍ଦ୍ରାପଡାରୁ ଏକ ଦୁଃଖଦ ଖବର ଆସିଛି । ଚାଷ ବିଲ ଦେଖି ଜଣେ ଚାଷୀର ମୃତ୍ୟୁ ଅଭିଯୋଗ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଧାନ ଫସଲରେ ପାଣି ପଶିବା ଦେଖି ହୃଦ୍ଘାତରେ ଚାଷୀଙ୍କର ମୃତ୍ୟୁ ହୋଇଛି । ୭ ଏକର ଜମିରେ ଲକ୍ଷାଧିକ ଖର୍ଚ୍ଚ କରି ଧାନ ଫସଲ କରିଥିବା ବେଳେ ଏବେ ସେହି ଫସଲ ପାଣିରେ ଭାସୁଥିବା ବେଳେ ଏହାକୁ ଦେଖି ଘରକୁ ଫେରିବା ପରେ ଜଣେ ଚାଷୀଙ୍କର ହୃଦଘାତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ଚାଷୀ ଭାଇଙ୍କୁ ସମସ୍ତ ସହାୟତା ମିଳିବ ବୋଲି ମନ୍ତବ୍ୟ ଦେଇଥିବା ବେଳେ ଆଜି ଯୋଗାଣ ମନ୍ତ୍ରୀ ଯଥା ସମ୍ଭବ ଚାଷୀ ଭାଇଙ୍କୁ ସାଥ୍ ଦିଆଯିବ ବୋଲି କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ନିଜ ନିଜ ଅଞ୍ଚଳରେ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।