ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି । ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି । ବିଲରେ ଧାନ କେଣ୍ଡା ଗଜା ହେଉଥିବା ବେଳେ ଏକର ଏକର ଫସଲ ଏବେ ପାଣିରେ ବୁଡିଛି । ଏଭଳି ସ୍ଥିତିରେ ଚାଷୀ ଉପରେ ଦୁଃଖର ପାହାଡ ଭାଙ୍ଗିଥିବା ବେଳେ ପୁଣି ଡରାଇଲାଣି ବର୍ଷା । ପଶ୍ଚିମା ଝଡ କାରଣରୁ ପୁଣି ଆଉ ଏକ ବର୍ଷା ଆସୁଥିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଦୁଇ ଦୁଇଟି ବର୍ଷା ମୁଖ୍ୟତଃ ପଶ୍ଚିମ ଓଡିଶାର ଚାଷୀ କୂଳକୁ ଦୁର୍ଦ୍ଦିନ ଦେଖାଇଥିବା ବେଳେ ଏବେ ପୁଣି ଉତ୍ତର ଓଡିଶାକୁ ଘନେଇଲାଣି ବିପଦ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ବର୍ଷକର ପରିଶ୍ରମ ଠିକ୍ ଅମଳ ସମୟରେ ହାତରୁ ଖସିଯାଇଥିବା ଦେଖି ଭାଙ୍ଗି ପଡିଛି ଚାଷୀ । କେଉଁଠି ବିଲ ଦେଖି ହୃଦଘାତରେ ଜୀବନ ଗଲାଣି ତ , ଆଉ କେଉଁଠି ସୁନାର ଫସଲର ଏଭଳି ଅବସ୍ଥା ଦେଖି ସହିନପାରି ପ୍ରାଣ ହାରୁଛି ଚାଷୀ ଭାଇ । କେଇଟା ଦିନ ପରେ ଯେଉଁଠି ଫସଲକୁ ଘରକୁ ଆସି ବର୍ଷ ଯାକର ଦାନା ସାଜିଥାନ୍ତା ହେଲେ ସେଠି ବିଲରେ ପଚୁଛି ଧାନ କେଣ୍ଡା । କେଉଁଠି କ୍ଷେତରେ ପଡିଥିବା ସୁନା ଫସଲ ଉପରେ ପାଣି ଚାଲୁଛି ତ ଆଉ କେଉଁଠି ଗଦା ହୋଇଥିବା ଧାନ ପାଣିରେ ବୁଡିଛି । ଯାହାଫଳରେ ଗଦା ହୋଇଥିବା ଧାନ ଫସଲରୁ ଗଜା ବାହାରିଲାଣି । କିଛି ଯାଗାରେ ଚାଷ ହୋଇଥିବା ରବି ଫସଲ ମୁଗ, ବିରି ଉପରେ ପାଣି ଜମା ହୋଇ ତାହା ନଷ୍ଟ ହୋଇଗଲାଣି । ଚାଷୀ ଆଜି ମୁଣ୍ଡରେ ହାତ ଦେଇ ସରକାରୀ ସହାୟତା ପାଇବା ପାଇଁ ଆକୁଳ ନିବେଦନ କରିଛି । ତୁରନ୍ତ ପ୍ରଶାସନ ଅଧିକାରୀ ଚାଷୀକୂଳକୁ ସହାୟତା ଯୋଗାଇ ଦେବାକୁ ଚାଷୀକୂଳ ନିବେଦନ କରିଛନ୍ତି ।
ସେପଟେ ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ଚାଷୀଙ୍କ ସମସ୍ୟା ବୁଝିଛନ୍ତି । ସହାୟତା ପାଇଁ ୧୪୪୪୭ ନମ୍ବରରେ ଫୋନ୍ କରି କିମ୍ବା ରକ୍ଷକ କୃଷି ଆପ୍ ଜରିଆାରେ ନିଜର କ୍ଷୟକ୍ଷତି ବିକ୍ଷୟରେ ଚାଷୀ ଭାଇଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହିତ ସରକାରଙ୍କ ପରାମର୍ଶ ଅନୁଯାୟୀ, ଜିଲ୍ଲାପାଳ ଏବଂ ଚାଷୀ ମିଶିକି ପରସ୍ପର ମଧ୍ୟରେ ଆଲୋଚନା କରି ଏଫଏକ୍ୟୁ ମାନ ନିର୍ଦ୍ଧାରଣ କରନ୍ତୁ । ଏଥିସହିତ ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଖୋଲିବାକୁ ଥିବା ମଣ୍ଡି ତାରିଖକୁ ମଧ୍ୟ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।