ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ l ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଲେ ଗଜପତି l ଯଦି ସେମାନେ ଆମ କଥା ନ ମାନନ୍ତି ତେବେ ଆଇନର ରାସ୍ତା ନେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ l
ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି l ଚିଠି ଲେଖିବା ସତ୍ତ୍ବେ ମଧ୍ୟ ଇସ୍କନ ନ ମାନି ରଥ ଆୟୋଜନ କରୁଛି l ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି l ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ l ୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି l ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି l କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନ ରଥଯାତ୍ରା କରୁଛି l ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ l ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି l ସେଠି ଯଦି ସେମାନେ ମାନିଯିବେ ତେବେ ଭଲ କଥା ନଚେତ ଏଥର ଆମେ ଆଇନର ରାସ୍ତା ନେବୁ l ବହୁତ ହୋଇଗଲା ଏଥର କିନ୍ତୁ ଆମେ ଛାଡ଼ିବାନି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ l
ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିବା ଜିଦ୍ରେ ଅଟଳ ରହିଛି ଇସ୍କନ। ଇସ୍କନର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଦାବି କରିଛନ୍ତି ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ । ଇସ୍କନର ଏଭଳି ଶାସ୍ତ୍ର ବିରୋଧୀ କାର୍ଯ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାକୁ ଠେସ ପହଞ୍ଚାଉଛି ବୋଲି ସେମାନେ କହିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରି ବିଦେଶରେ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି କରାଯାଉଛି ।
Comments are closed.