Latest Odisha News

BREAKING NEWS

ଜାମିନ ପରେ ବି ଜେଲରେ ଥିଲା ଅଭିଯୁକ୍ତ, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦ ଜେଲରେ ବନ୍ଦୀ ଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ମିଳିବା ପରେ ମଧ୍ୟ ମୁକ୍ତ କରାଯାଇନଥିଲା। ଯାହା ଯୋଗୁଁ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟର ଧର୍ମାନ୍ତରୀକରଣ ବିରୋଧୀ ଆଇନର ବ୍ୟବସ୍ଥା ଅନୁଯାୟୀ ପଞ୍ଜିକୃତ ଏକ ମାମଲାରେ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଏପ୍ରିଲ ୨୯ ତାରିଖରେ ଜାମିନ ଦେଇଥିଲେ, କିନ୍ତୁ ଜୁନ୍ ୨୪ ତାରିଖରେ ଗାଜିଆବାଦ ଜିଲ୍ଲା ଜେଲରୁ ମୁକ୍ତ କରାଯାଇଥିଲା। ଜୁନ୍ ୨୫ ତାରିଖରେ ସୁପ୍ରିମକୋର୍ଟ ମୁକ୍ତିରେ ବିଳମ୍ବ ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଥିଲେ ଏବଂ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ପାଳନ ସମ୍ପର୍କରେ ଏକ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ। ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷର ଓକିଲ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ୍ ଏବଂ ଜଷ୍ଟିସ୍ ଏନ. କୋଟିଶ୍ୱର ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ, କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କ ଓକିଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଜାମିନ ପାଇବା ପରେ, ଗାଜିଆବାଦର ନିମ୍ନ ଅଦାଲତ ମେ’ ୨୭ରେ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବ୍ୟକ୍ତି ୨୮ ଦିନ ବିଳମ୍ବରେ ଜେଲରୁ ମକୁଳିଥିଲେ ।

ଏହାକୁ ନେଇ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନ ଅନୁଯାୟୀ ବ୍ୟକ୍ତିଗତ ସ୍ୱାଧୀନତା ଏକ ଅତ୍ୟନ୍ତ ମୂଲ୍ୟବାନ ଅଧିକାର। ଛୋଟ ଯାନ୍ତ୍ରିକ ତ୍ରୁଟି କାରଣରୁ କାହାର ସ୍ୱାଧୀନତା ଛଡ଼ାଇ ନେବା ଗମ୍ଭୀର ଚିନ୍ତାର ବିଷୟ। ସୁପ୍ରିମକୋର୍ଟ ଗାଜିଆବାଦର ପ୍ରମୁଖ ଜିଲ୍ଲା ଏବଂ ସେସନ୍ସ ଜଜଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର କହିଛନ୍ତି ଯେ, ନିମ୍ନ ଅଦାଲତର ଆଦେଶରେ ଧର୍ମାନ୍ତରୀକରଣ ନିଷେଧ ଆଇନ, ୨୦୨୧ର ଧାରା ୫(୧) ସ୍ପଷ୍ଟ ଭାବରେ ଉଲ୍ଲେଖ ନଥିଲା। ଏହି କାରଣରୁ ଜେଲ କର୍ତ୍ତୃପକ୍ଷ ମେ ୨୮ ତାରିଖରେ ଆଦେଶ ସଂଶୋଧନ ପାଇଁ ଏକ ଆବେଦନ ଦାଖଲ କରିଥିଲେ। କିନ୍ତୁ ସମୟସୀମା ମଧ୍ୟରେ ଏହାର ସମାଧାନ ହୋଇପାରିନଥିଲା। ଏହି କାରଣରୁ ସଂପୃକ୍ତ ବ୍ୟକ୍ତି ବିଳମ୍ବରେ ଜେଲରୁ ବାହାରିଥିଲେ ।

Comments are closed.