ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଅଭାବନୀୟ ଘଟଣା । ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ କରତରେ କାଟି ନଦୀକୁ ଫୋପାଡି ଦେଇଛି ପୁଅ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ବେଳେ, ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । ଇଞ୍ଜିନିୟର ଅମ୍ବେଶ ୫ ବର୍ଷ ପୂର୍ବେ ଜଣେ ମୁସଲିମ ଯୁବତୀଙ୍କୁ ବିବାହ କରିଥିଲେ । ଅମ୍ବେଶଙ୍କ ପିତା ଶ୍ୟାମ ବାହାଦୁର ଓ ମା ବବିତା ବିବାହରେ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ବୋହୂକୁ ସ୍ୱିକାର କରିବାକୁ ସେମାନେ ରୋକଠୋକ ମନା କରିଦେଇଥିଲେ ।
ଏହାପରେ ଯୁବତୀ ଅମ୍ବେଶଙ୍କୁ ଛାଡପତ୍ର ଦେବା ପାଇଁ କହିଥିଲେ । ଅମ୍ବେଶ ମଧ୍ୟ ଏଥିରେ ରାଜି ହୋଇଥିଲେ । ହେଲେ ଭରଣ ପୋଷଣ ପାଇଁ ୫ ଲକ୍ଷ ଟଙ୍କା ଯୁବତୀ ମାଗିଥିଲେ । ଅମ୍ବେଶ ଏହି ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ । ଟଙ୍କା ସ୍ତ୍ରୀକୁ ଦେବା ପାଇଁ ପିତାମାତାଙ୍କୁ ମାଗିଥିଲେ । ହେଲେ ପିତାମାତା ଏହି ଟଙ୍କା ଦେବାକୁ ମଧ୍ୟ ରାଜି ହୋଇନଥିଲେ । ଏହାପରେ ପ୍ରତିଦିନ ଘରେ କଳି ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅମ୍ବେଶ ରାଗି ଯାଇ ଦିନେ ପିତାମାତାଙ୍କୁ ହତ୍ୟା କରିଥିଲା। ଆଉ ପ୍ରମାଣ ନଷ୍ଟ କରିବା ପାଇଁ ପିତାମାତାଙ୍କ ମୃତଦେହକୁ କରତରେ କାଟି ନଦୀରେ ଭସାଇ ଦେଇଥିଲା।
ପିତାମାତାଙ୍କୁ ଦେଖା ନମିଳିବାରୁ ଭଉଣୀ ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ପୋଲିସ ଅମ୍ବେଶଙ୍କ ମୋବାଇଲ ଫୋନକୁ ଟ୍ରାକ କରି ତାକୁ ଗିରଫ କରିଛି । ଅମ୍ବେଶ ଗିରଫ ହେବା ପରେ ନିଜେ କରିଥିବା ସବୁ ପାପ କାହାଣୀ ପୋଲିସ ଆଗରେ କହିଛି । ପ୍ରଥମେ ସେ ରାଗି ଯାଇ ନିଜେ ଜନ୍ମ କରିଥିବା ମାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିଲା । ଏହାକୁ ବାପା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେହି ଶିଳପୁଆରେ ହତ୍ୟା କରିଥିଲା । ରାଗରେ ଅମ୍ବେଶ ଏହି କାମ କରିବା ପରେ ଗିରଫ ହେବା ଭୟ ଘାରିଥିଲା । ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ସେ କରତରେ କାଟି ନଦୀରେ ଫିଙ୍ଗି ଦେଇଥିଲା।
ଏଭଳି ଭୂଲ ପାଇଁ ସେ ଏବେ ପୋଲିସ ନିକଟରେ ଗୁହାରି କରିଛି । ମୋ ଭୂଲ ପାଇଁ ମୋତେ କ୍ଷମା କରିଦିଆଯାଉ ବୋଲି ଅନୁରୋଧ କରିଛି । ହେଲେ ପୋଲିସ ତା ନିକଟରୁ ସବୁ ତଥ୍ୟ ପାଇଲା ପରେ କୋର୍ଟରେ ହାଜର କରାଇଛି । ଏଭଳି ଲୋମହର୍ଷଣ କାରୀ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଛି । ସାମାନ୍ୟ କେତଟା ଟଙ୍କା ପାଇଁ ଜନ୍ମକଲା ମା ଓ ବାପାଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି ପୁଅ। ତେଣୁ ଏଭଳି ଦୋଷୀଙ୍କୁ କଠିନ ଦଣ୍ଡ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।