Latest Odisha News

BREAKING NEWS

Clash Over Wedding Feast: ବାହାଘର ଭୋଜି ଦେବାକୁ ମନା କରିବାରୁ ମହାଭାରତ! ଦୁଇ ପକ୍ଷ ମଧ୍ୟରେ ପଥରମାଡ଼, ଆପଣ ବି କାରଣ ଜାଣି ହସିବେ…

ମୁଜାଫରନଗର: ବାହାଘର ଭୋଜି ନଦେବାକୁ ନେଇ ଏତେ ବଡ଼ ବିବାଦ ଯେ ଶେଷରେ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଗଲା ପଥରମାଡ଼। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବାହାଘର ଭୋଜିକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ପରେ ଦୁଇ ପରିବାର ମଧ୍ୟରେ ସଂଘର୍ଷର ରୂପ ନେଇଥିଲା। ଏହି ସମୟରେ ଉଭୟ ପକ୍ଷ ପରସ୍ପର ଉପରକୁ ଜୋରଦାର ପଥରମାଡ଼ କରିଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସୂଚନା ଅନୁସାରେ, ମୁଜାଫରନଗର ଜିଲ୍ଲାର ମନସୁରପୁର ଥାନା ଅଞ୍ଚଳ ଅନ୍ତର୍ଗତ ନରା ଗାଁରେ କିଛି ଦିନ ପୂର୍ବରୁ ମନୀଷ ନାମକ ଜଣେ ଯୁବକଙ୍କ ବିବାହ ହୋଇଥିଲା। ତାଙ୍କ ବନ୍ଧୁ ଆଶୁ ବାହାଘର ଭୋଜି ଦେବାକୁ ମନୀଷଙ୍କୁ କହିଥିଲେ। କିନ୍ତୁ ମନୀଷ ଭୋଜି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରେ ଏହି ବିବାଦରେ ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଯାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ପଥରମାଡ଼ ଆରମ୍ଭ ହୋଇଥିଲା। ଘଟଣାରେ ତିନି ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଶାନ୍ତ କରିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି। ଏଥିସହ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଅନ୍ୟପଟେ, ପଥରମାଡ଼ର ଏହି ଘଟଣାକୁ କେହି ଜଣେ ନିଜ ମୋବାଇଲ୍‌ରେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ। ଭାଇରାଲ୍ ଭିଡିଓରେ ଉଭୟ ପକ୍ଷର ମହିଳା ଓ ପୁରୁଷମାନେ ଘରର ଛାତ ଉପରୁ ପରସ୍ପର ଉପରକୁ ପଥର ଫିଙ୍ଗୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣା ସମ୍ପର୍କରେ ଖତୌଲିର ସିଓ ରୂପାଲି ରାଓ କହିଛନ୍ତି ଯେ, ମଙ୍ଗଳବାର ଦିନ ମନସୁରପୁର ଥାନା ଅନ୍ତର୍ଗତ ନରା ଗାଁରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ବାହାଘର ଭୋଜିକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ମାରପିଟ୍ ହୋଇଥିଲା ଏବଂ ଏଥିରେ ତିନି ଜଣ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କର ଚିକିତ୍ସା ଚାଲିଛି। ପୋଲିସ ୫ ଜଣଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ବର୍ତ୍ତମାନ ଅଞ୍ଚଳରେ ଶାନ୍ତି ବଜାୟ ରହିଛି। ଆଗକୁ ମଧ୍ୟ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସାମାନ୍ୟ ଏକ ବାହାଘର ଭୋଜି କଥାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏତେ ବଡ଼ ସଂଘର୍ଷର ରୂପ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.