ବ୍ୟୁରୋ: ହାମିଲଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷା ପ୍ରଭାବିତ ତୃତୀୟ ଦିନିକିଆ ପରେ ଟିମ୍ ଇଣ୍ଡିଆ ଦୁଇଟି ଗ୍ରୁପରେ ବିଭକ୍ତ ହେଉଛି । ଗୋଟିଏ ଟିମ୍ ବାକି ଦୁଇଟି ଦିନିକିଆ ପାଇଁ ମାଉଂଟ ମାଉଙ୍ଗାନୁଇ ଯାତ୍ରା କରିବ, ଅନ୍ୟ ଦଳଟି ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ପାଇଁ ୱେଲିଂଟନ ଯିବ । ଆସନ୍ତା ନଭେମ୍ବର ୧୩ ଓ ୧୫ରେ ମାଉଂଟ ମାଉଙ୍ଗାନୁଇର ୱେ ଓଭାଲାରେ ଭାରତ ଚତୁର୍ଥ ଓ ପଂଚମ ଓଡିଆଇ ଖେଳିବ । ସେପଟେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ନଭେମ୍ବର ୧୯ରେ ୱେଲିଂଟନ ବେସିନ ରିଜର୍ଭରେ ଆରମ୍ଭ ହେବ । ଶେଷ ଦୁଇଟି ଓଡିଆଇ ପାଇଁ ଅଧିନାୟକ ବଦଳିବାକୁ ଯାଉଛନ୍ତି । ପ୍ରଥମ ତିନୋଟି ମ୍ୟାଚରେ ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବେ । ପରେ ଶ୍ରେୟସ ଆୟର ଭାରତୀୟ ଦଳର ଅଧିନାୟକତ୍ୱ କରିବେ । ଶ୍ରେୟସ ହେଉଛନ୍ତି ଭାରତୀୟ ଟିମ୍ର ଫୁଲ୍-ଟାଇମ ଟି-୨୦ କ୍ୟାପଟେନ୍ , ଏବେ ଓଡିଆଇରେ ଟିମ୍ର ମଙ୍ଗ ସମ୍ଭାଳିବେ । ଏହାସହ ବାକି ଦୁଇଟି ମ୍ୟାଚ୍ ପାଇଁ ଇଶାନ କିଶାନ ରହିବେ ତାଙ୍କ ଡେପୁଟି । କେବଳ ଖେଳାଳି କାହିଁକି କୋଚିଂ ଟିମ୍ ମଧ୍ୟ ହେବେ ଭାଗ ଭାଗ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନଭେମ୍ବର ୧୩ ଓ ୧୫ରେ ହେବାକୁ ଥିବା ବାକି ୨ଟି ଓଡିଆଇ ପାଇଁ ମାଉଂଟ ମାଉଙ୍ଗାନୁଇରେ ରହିବେ ।
ODI ସ୍କ୍ୱାର୍ଡରେ ରହିବେ କେଉଁ ଖେଳାଳି?
ତିଲକ ବର୍ମା, ୟଶ ଠାକୁର ଓ କୁମାର କୁଶାଗ୍ର ଚତୁର୍ଥ ଓ ପଂଚମ ଓଡିଆଇ ପାଇଁ ଟିମ୍ରେ ରହିବେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩-୨ଟି ଟି-୨୦ ସିରିଜ୍ ବିଜୟରେ ସାମିଲ ଥିଲେ ତିଲକ । ଶେଷ ଥର ପାଇଁ ଡିସେମ୍ବରର ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓଡିଆଇ ଖେଳିଥିଲେ । ୟଶ ଓ କୁଶାଗ୍ରଙ୍କୁ ପ୍ରଥମ ଥର ପାଇଁ ଓଡିଆଇ ଡକରା ହୋଇଛି । ଏହାଛଡା ଶ୍ରେୟସ ଆୟର, ରୋହିତ ଶର୍ମା, ବିରାଟ କୋହଲି, ଇଶାନ କିସନ, ଅକ୍ସର ପଟେଲ୍, ନମନ ଧୀର, ନବୀ, ଗୁରନୁର ବ୍ରାର୍, ଋତୁରାଜ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ୍ ଓ କୁଲଦୀପ ଯାଦବ ପ୍ରଥମ ୩ଟି ଓଡିଆରେ ରହିଥିଲେ । ସେମାନେ ବାକି ୨ଟି ଓଡିଆଇରେ ମଧ୍ୟ ରହିବେ । ଶୁଭମନ ଗିଲ୍ ପ୍ରଥମ ୩ଟି ଓଡିଆଇରେ କ୍ୟାପଟେନ୍ ଥିବା ବେଳେ ଶେଷ ଦୁଇଟି ମ୍ୟାଚ୍ ପାଇଁ ଆୟରଙ୍କୁ ବଛା ଯାଇଛି । ପ୍ରଥମ ୩ଟି ମ୍ୟାଚରେ ଉପ ଅଧିନାୟକ ଥିଲେ ଆୟର । ଏବେ କିଶନ ଶେଷ ୨ଟି ମ୍ୟାଚରେ ଡେପୁଟୀ ରହିବେ ।
କେଉଁ ଖେଳାଳି କରିବେ ଟେଷ୍ଟ ପ୍ରସ୍ତୁତି?
ଶୁଭମନ ଗିଲ୍, କେ.ଏଲ ରାହୁଲ ଓ ଅଂଶୁଲ କମ୍ବୋଜ ଶେଷ ୨ଟି ଓଡିଆଇରେ ଖେଳିବେ ନାହିଁ । ସେମାନଙ୍କୁ କେବଳ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା । ଏବେ ସେମାନେ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରିବାକୁ ୱେଲିଂଟନ୍ ଯିବେ । ପ୍ରଥମ ଓଡିଆଇରେ ଥିବା ନୀତିଶ ରେଡ୍ଡୀ ମଧ୍ୟ ଟେଷ୍ଟ ଖେଳିବେ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ । ଖେଳାଳିଙ୍କୁ ଶେଷ ଓଡିଆଇ ଓ ଲାଲ୍-ବଲ୍ ସିରିଜ୍ ଆରମ୍ଭ ମଧ୍ୟରେ କେବଳ କିଛି ଦିନର ସମୟ ମିଳିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ ପାଇଁ ବାକି ୨ଟି ଟେଷ୍ଟ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଟିମର ମୁଖ୍ୟ ଖେଳାଳିଙ୍କୁ ଏହି ସିରିଜରେ କିପରି ବ୍ୟବସ୍ଥିତ କରାଯିବ ତା ଉପରେ ନଜର । ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ବିସିସିଆଇ ଏହି ଘୋଷଣା କରିଛି ।
