ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟସ୍ଥ ସୁବର୍ଣ୍ଣରେଖା ନଦୀରେ ଶନିବାର ଦିନ ବୁଡ଼ି ଯାଇ ଉତ୍ତର ପ୍ରଦେଶର ଜଣେ ତୀର୍ଥଯାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
ନିଖୋଜ ବ୍ୟକ୍ତିଙ୍କ ପରିଚୟ ଅଶୋକ ପାଠକ ବୋଲି ଜଣାପଡିଛି। ସେ ନିଜ ପରିବାର ସଦସ୍ୟଙ୍କ ସହ ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ପୁରୀ ଯାତ୍ରା କରୁଥିବା ବେଳେ ବସ୍ତା ଅଞ୍ଚଳର ରାଜଘାଟ ନିକଟରେ ଅଟକିଥିଲେ।
ସେଠାରେ କିଛି ତୀର୍ଥଯାତ୍ରୀ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ସମୟରେ ଅଚାନକ ଅଶୋକଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ନଦୀର ପ୍ରଖର ସ୍ରୋତରେ ସେ ଗଭୀର ଜଳରାଶି ମଧ୍ୟକୁ ଭାସି ଯାଇଥିଲେ। ଏହି ଘଟଣା ପରେ ପରିବାର ସଦସ୍ୟମାନେ ଚିତ୍କାର କରି ସହାୟତା ଲୋଡ଼ିଥିଲେ।
ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳକୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ନିଖୋଜ ତୀର୍ଥଯାତ୍ରୀଙ୍କ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

