ଆହ୍ଲାବାଦ: ବୁଧବାର ସରିଯାଇଛି ମହାକୁମ୍ଭ । ହେଲେ ଆଜି ଏହାକୁ ଔପଚାରିକ ଭାବେ ସଙ୍ଗମ ଯାଇ ପୂଜାର୍ଚ୍ଚନା କରି ସମାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏଥିସହିତ ଗଙ୍ଗାର ଅରେଲ ଘାଟରେ ନିଜେ ହାତରେ ଝାଡୁ ଧରି ସଫେଇ କରୁଥିବାର ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏହାପରେ ମହାକୁମ୍ଭକୁ ଆସିଥିବା ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କୁ ୪୫ ଦିନ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଦେଇଥିବା ସଫେଇ କର୍ମୀ, ସ୍ବାସ୍ଥ୍ୟ କର୍ମୀ, ନାଉରିଆ, ୟୁପିଏସଆରଟିଭିର ସମସ୍ତ ଚାଳକ, ପୋଲିସ୍ କର୍ମୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିଥିଲେ । ଏହି ଅବସରରେ ଯୋଗୀ ଆଦିତ୍ୟନାଥ, ସଙ୍ଗମ ସ୍ଥଳର ସଫେଇ କାର୍ଯ୍ୟ ପାଇଁ ନିଯୁକ୍ତ ହୋଇଥିବା ସଫେଇକର୍ମଚାରୀଙ୍କୁ ପାଇଁ ୧୦ ହଜାର ଟଙ୍କା ବୋନସ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ଟଙ୍କା ସିଧା ସେମାନଙ୍କର ଆକାଉଣ୍ଟକୁ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।
୧୪୪ ବର୍ଷ ପରେ ପଡିଥିବା ମହାକୁମ୍ଭ, ଗତ ଜାନୁଆରୀ ୧୩ରୁ ଆରମ୍ଭ ହୋଇ, ଗତକାଲି ମହାଶିବରାତ୍ରି ଦିନ ଶେଷ ହୋଇଛି । ପ୍ରୟାଗରାଜରେ ୪୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଶ୍ୱର ଏହି ସର୍ବବୃହତ ଧାର୍ମିକ ଏବଂ ଆଧ୍ୟାତ୍ମିକ ସମାବେଶରେ ବୁଧବାର ଦିନ ଶେଷ ସ୍ନାନ ଶେଷ ହୋଇଛି। ଏହି ମେଳାରେ ଭାରତ ଏବଂ ବିଦେଶରୁ ୬୬.୩୦ କୋଟି ଭକ୍ତ ଗଙ୍ଗା ଏବଂ ସଙ୍ଗମରେ ବୁଡ଼ ପକାଇଛନ୍ତି । ମେଳା ପ୍ରଶାସନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବୁଧବାର ରାତି ୮ଟା ପର୍ଯ୍ୟନ୍ତ ୧.୫୩ କୋଟିରୁ ଅଧିକ ଭକ୍ତ ଗଙ୍ଗା ଏବଂ ସଙ୍ଗମରେ ବୁଡ଼ ପକାଇଛନ୍ତି ଏବଂ ଜାନୁଆରୀ ୧୩ ରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ବୁଡ଼ ପକାଇଥିବା ଲୋକଙ୍କ ସଂଖ୍ୟା ୬୬.୩୦ କୋଟିରେ ପହଞ୍ଚିଥିଲା ।
ଏହି ମହାକୁମ୍ଭର ସଫଳ ଆୟୋଜନରେ ସଫେଇ କର୍ମଚାରୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ । ମହାକୁମ୍ଭ ଏବଂ ଏହାର ପରିସରର ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଏହା ଚର୍ଚ୍ଚାରେ ରହିଥିଲା । କୋଟି କୋଟି ଭକ୍ତଙ୍କ ଆସରରେ ମଧ୍ୟ ଏହାର ଚମକ ଟିକେ ହେଲେବି ଫିକା ପଡିନଥିଲା । ଯାହାର ସମସ୍ତ ଶ୍ରେୟ ଯାଇଛି ଏଥିରେ ନିଯୁକ୍ତ ହୋଇଥିବା ପ୍ରାୟ ୫୦ ହଜାର ସଫେଇ କର୍ମୀଙ୍କୁ । ମହାକୁମ୍ଭମେଳାର ସ୍ୱଚ୍ଛତା ଦାୟିତ୍ୱରେ ଥିବା ଡକ୍ଟର ଆନନ୍ଦ ସିଂହ କହିଛନ୍ତି ଯେ, ମେଳା ସାରା ୨୪ ଘଣ୍ଟା ୧୫ ହଜାର ସଫେଇ କର୍ମଚାରୀ ଡ୍ୟୁଟିରେ ଥିଲେ । ସେ ଅନେକ ସିଫ୍ଟରେ ସଫେଇ ଦାୟିତ୍ୱ ବହୁତ ଭଲ ଭାବରେ ନିର୍ବାହ କରିଥିଲେ ଏବଂ ମେଳାରେ ଥିବା ଶୌଚାଳୟ ଏବଂ ଘାଟଗୁଡ଼ିକୁ ସମ୍ପୂର୍ଣ୍ଣ ସଫା ରଖିଥିଲେ । ସମସ୍ତେ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆଉ ଆଜି ଯୋଗୀ ସରକାର ମଧ୍ୟ ସେମାନଙ୍କୁ ପ୍ରଶଂସା କରି ବୋନସ୍ ଦେବା ପାଇଁ ଘୋଷଣା କରିଛନ୍ତି ।
Comments are closed.