Latest Odisha News

BREAKING NEWS

ବିବାହ ପାଇଁ ମହାଦେବଙ୍କୁ ମାଗିଥିଲେ ବର, ମନବାଞ୍ଛା ପୁରଣ ନହେବାରୁ ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲେ ଯୁବକ

ଲକ୍ଷ୍ନୌ: କୁହନ୍ତି ମହାଦେବଙ୍କୁ ଯେଭଳି ଡାକିଲେ ସେ ଶୁଣନ୍ତି । ସେଥିପାଇଁ ତ କୁହନ୍ତି ତପେ ବର ନହେଲେ କୋପେ ବର । ଯେବେ ତପସ୍ୟା କରି ବର ନମିଳେ ସେତେବେଳେ କିଛି ଜଣ ଭଗବାନଙ୍କ ଉପରେ ଆସ୍ଥା ହରାଇ ବସନ୍ତି ତ ଆଉ କିଛି ବଳ ପୂର୍ବକ ନିଜର ଇଚ୍ଛା ପୂରଣ କରନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଘଟିଛି ଏପରି ଏକ ଘଟଣା ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରାବଣ ମାସରେ ମହାଦେବଙ୍କୁ ଉପାସନା କରିଥିଲେ । ମନରେ ବିବାହ ପାଇଁ କନ୍ୟାଟିଏ ମାଗି ଶିବଙ୍କ ଉପରେ ପାଣିଲାଗି ମଧ୍ୟ କରିଥିଲେ । ମାତ୍ର ଶ୍ରାବଣ ମାସ ଶେଷ ହୋଇଗଲା କିନ୍ତୁ ମନବାଞ୍ଛା ପୁରଣ ନହେବାରୁ ରାଗିଯାଇ ମନ୍ଦିରରୁ ସ୍ଵୟଂ ଭଗବାନଙ୍କୁ ଉଠାଇ ନେଇଗଲେ ଯୁବକ । ଆଜ୍ଞା ହଁ ଉତ୍ତରପ୍ରଦେଶର କୌଶମ୍ବି ଜିଲ୍ଲାରେ ଥିବା ଭୈରୋ ବାବା ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା । ଯୁବକ ନାଁ ହେଉଛି ଛୋଟୁ । ସେ କୁମହିୟାୱା ଗ୍ରାମରେ ରୁହନ୍ତି ।

ମିଳିଥିବା ଖବର ଅନୁସାରେ, କୌଶମ୍ବି ଜିଲ୍ଲାର ଜଣେ ୨୭ ବର୍ଷୀୟ ଯୁବକ ବିବାହ ପାଇଁ ଭଲ କନ୍ୟାଟିଏ ପାଇବାକୁ ମନରେ ଆଶା ରଖି ଶ୍ରାବଣ ମାସରେ ଶିବ ଉପାସନା କରିଥିଲେ । ମହାଦେବଙ୍କ ପାଖରେ ମାନସିକ ରଖି ପ୍ରତି ସୋମବାର ମନ୍ଦିର ଯାଇ ବାବା ଭୈରୋଙ୍କୁ ଜଳଲାଗି କରୁଥିଲେ । ଶ୍ରାବଣ ମାସ ଶେଷ ସୁଦ୍ଧା ବିବାହ ନିମନ୍ତେ ଏକ ଭଲ କନ୍ୟାଟିଏ ଯେପରି ମିଳିଯାଉ ସେଥିପାଇଁ ସବୁବେଳେ ମହାଦେବଙ୍କୁ ପାର୍ଥନା କରୁଥିଲେ । କିନ୍ତୁ ବୋଧହୁଏ ମହାଦେବଙ୍କ ଇଚ୍ଛା ଅନ୍ୟ କିଛି ଥିଲା । ଶ୍ରାବଣ ମାସ ଶେଷ ହୋଇଗଲା କିନ୍ତୁ ଯୁବକଙ୍କର ମନବାଞ୍ଛା ପୂରଣ ହେଲାନି । ସେଥିପାଇଁ  ରାଗିଯାଇ ଯୁବକ ଜଣକ ମନ୍ଦିରରୁ ମହାଦେବଙ୍କ ଲିଙ୍ଗକୁ ଚୋରି କରିନେଇଗଲେ । ଲିଙ୍ଗ ଚୋରି କରି ନିକଟରେ ଥିବା ଏକ କ୍ଷେତରେ ଲୁଚାଇ ତା’ ଉପରେ ପତ୍ର ଓ ବାଉଁଶ ଆଦି ଘୋଡାଇଦେଲେ ।

ମନ୍ଦିରରୁ ମହାଦେବଙ୍କ ଲିଙ୍ଗ ଚୋରି ହୋଇଥିବା ଜାଣି ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରି କୁମହିୟାୱା ଗ୍ରାମର ସେହି ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଛୋଟୁ ମନବାଞ୍ଛା ପୂରଣ ନହେବାରୁ ରାଗିଯାଇ ଏପରି କରିଥିବା ପୋଲିସ ଆଗରେ କହିଛି ।  ଧାରା ୩୭୯ ଅବୁଯାୟୀ ଅଭିଯୁକ୍ତକୁ ଗିରଫ ପରେ ବର୍ତ୍ତମାନ ଜେଲକୁ ପଠାଇଛି ପୋଲିସ ।

Leave A Reply

Your email address will not be published.