Latest Odisha News

ଏହି ସବୁ ନମ୍ବରରେ ଆଉ ଚାଲିବନି ଫୋନ୍ ପେ, ଗୁଗୁଲ ପେ…

ନୂଆଦିଲ୍ଲୀ: ଆଜି ଦିନ ୧ଟାରୁ ୪ଟା ଯାଏଁ ଅନଲାଇନ ପେମେଣ୍ଟ ହୋଇପାରିବ ନାହିଁ । ଏନେଇ ଏସବିଆଇ ପକ୍ଷରୁ ସୂଚନା ଜାରି ହୋଇଛି । ହେଲେ ଏହା ପୂର୍ବରୁ ମଧ୍ୟ ଆଜି ସକାଳୁ ସକାଳୁ କିଛି ଉପଭୋକ୍ତାଙ୍କ ଫୋନ୍ ପେ, ଗୁଗଲ ପେ, ପେଟିମ୍ ଆଦି କାମ କରିବା ବନ୍ଦ କରିଦେଇଛି । ତେବେ ଯଦି ଏପରି ତାହେଲେ ଆପଣଙ୍କ ଫୋନ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଯଦି ୪ଟା ପରେ ମଧ୍ୟ ଆପଣଙ୍କ ୟୁପିଆଇ କାମ କରୁନି, ତାହେଲେ ଜାଣି ରଖନ୍ତୁ….ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆଜିଠୁ ଅର୍ଥାତ୍  ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିଦେଇଛି ।  ଯାହା Google Pay, PhonePe, Paytm ଏବଂ ଅନ୍ୟାନ୍ୟ UPI ଆପ୍ ବ୍ୟବହାର କରୁଥିବା ଊପଭୋକ୍ତାମାନଙ୍କୁ ପେମେଣ୍ଟ କରିବାରେ ବାଧା ସୃଷ୍ଟି କରିଛି ।

କାହିଁକି ବନ୍ଦ ହୋଇଯିବ ୟୁପିଆଇ?

ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ, ନିଷ୍କ୍ରିୟ ପଞ୍ଜିକୃତ ମୋବାଇଲ୍ ନମ୍ବରଗୁଡ଼ିକରୁ ୟୁପିଆଇ ହଟାଇଦେବ । ଅର୍ଥାତ୍ ଯଦି ଆପଣଙ୍କ ଯେଉଁ ନମ୍ବରରେ ଫୋନ୍ ପେ କିମ୍ବା ଗୁଗୁଲ ପେ ବ୍ୟବହାର କରୁଛନ୍ତି, ତାହା ଆକ୍ଟିଭ୍ ନଥିବ, ତାହେଲେ ଏଥିରୁ ଆପେ ଆପେ ଅନଲାଇନ ପେମେଣ୍ଟ ବ୍ୟବସ୍ଥା କଟିଯିବ ।

କେଉଁ କେଉଁ ନମ୍ବର ଗୁଡିକ କଟିବ?

ଯଦି ଆପଣଙ୍କର ଫୋନ୍ ନମ୍ବର ବହୁ ସମୟ ପାଇଁ ନିଷ୍କ୍ରିୟ ରହିଥାଏ, ତେବେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ରେକର୍ଡରୁ ଏହି ନମ୍ବରକୁ ହିଁ ମୂଳରୁ ହଟାଇଦେବେ । ଏଥିସହିତ ଉକ୍ତ ଆକାଉଣ୍ଟ ପାଇଁ UPI ସେବାଗୁଡ଼ିକୁ ମଧ୍ୟ ସ୍ଥଗିତ କରାଯିବ । ବ୍ୟାଙ୍କିଂ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟିକୁ ଏଡାଇବା ଏବଂ ଠକେଇର ବିପଦକୁ କମ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଏହି ପଦକ୍ଷେପ ନେଉଥିବା ନେଇ ସୂଚିତ କରିଛି ଏନପିସିଆଇ ।

କାହା ଉପରେ ପଡ଼ିପାରେ ପ୍ରଭାବ?

ଯେଉଁ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ନମ୍ବରଗୁଡ଼ିକୁ ଅପଡେଟ୍ କରିଛନ୍ତି କିନ୍ତୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଉକ୍ତ ମୋବାଇଲ ନମ୍ବର ସହ ଅପଡେଟ୍ କରିନାହାନ୍ତି, କିମ୍ବା ଯେଉଁ ଗ୍ରାହକମାନେ UPI ସେବାଗୁଡ଼ିକୁ ବ୍ୟବହାର କରୁଛନ୍ତି, ହେଲେ ସେମାନେ ନିଷ୍କ୍ରିୟ କିମ୍ବା ପୁନଃ ଆବଣ୍ଟିତ ମୋବାଇଲ୍ ନମ୍ବର ବା ପୁରୁଣା ସିମ୍ ବ୍ୟବହାର କରୁଛନ୍ତି, ସେମାନଙ୍କର ନମ୍ବରରେ UPI ସେବାକୁ ରଦ୍ଦ କରାଯିବ । ଏଥିସହିତ ଯେଉଁ ଗ୍ରାହକମାନେ ସେମାନଙ୍କର ବ୍ୟାଙ୍କ ସୂଚନା ଅପଡେଟ୍ ନକରି , ପୂର୍ବ ବ୍ୟବହୃତ ସିମ୍ କାର୍ଡଗୁଡ଼ିକୁ ପରିତ୍ୟାଗ କରିଛନ୍ତି କିମ୍ବା ତାକୁ ଏବେ ଆଉ ସେ ସିମ୍ ବ୍ୟବହାର କରୁନାହାନ୍ତି, କି ସେମାନଙ୍କର ସିମ୍ ହଜିଯାଇଛି, ହେଲେ ଏବେ ବି ସେ ନମ୍ବର ବ୍ୟାଙ୍କ ସହ ଜଡିତ, ତାହା ରଦ୍ଦ ହେବ  ।

Comments are closed.