Latest Odisha News

BREAKING NEWS

ଲୋହିଆ ହସ୍ପିଟାଲ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ କରିବାକୁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସୋମବାର ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି ।

ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ଏହି ସୁବିଧା ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ସ୍ଥିତି ଏବଂ ଦେଶରେ ପ୍ରତିରୋଧ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଲାଗି ସାରା ଦେଶରେ ମକ୍ ଡ୍ରିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତଦନୁଯାୟୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକ ଆଜି ମକ୍ ଡ୍ରିଲ୍ କରୁଛନ୍ତି ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଏହି ମକ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି ।

ଆରଏମଏଲ ହସ୍ପିଟାଲ ପରିଦର୍ଶନ କରିବାବେଳେ ଡକ୍ଟର ମାଣ୍ଡଭିୟ ବିଭାଗର ମୁଖ୍ୟ ଏବଂ କର୍ମଚାରୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ । ସେ ଡାକ୍ତର, ନର୍ସ, ସୁରକ୍ଷା ଏବଂ ପରିମଳ ସେବାର ମୁଖ୍ୟମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କ ମୂଲ୍ୟବାନ ପରାମର୍ଶ ଶୁଣୁଥିଲେ । ଗୁଣାତ୍ମକ କ୍ଲିନିକାଲ୍ ଅଭ୍ୟାସ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ଡାକ୍ତରଖାନା ପରିଚାଳନା, ପରିମଳ ପ୍ରକ୍ରିୟା ଏବଂ ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥା ଉପରେ ପ୍ରସ୍ତାବମାନ ରହିଥିଲା ।

ଦେଶବ୍ୟାପୀ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିଲା, ଯେଉଁଠାରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ଥିବା ସୁବିଧାଗୁଡ଼ିକର ପ୍ରସ୍ତୁତି ଏବଂ ଦକ୍ଷତାର ସମୀକ୍ଷା କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ କୋଭିଡ୧୯ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଏବଂ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି । ଆଏଲଆଇ / ଏସଏଆରଆଇ ମାମଲାଗୁଡ଼ିକର ଗତିବିଧି ଉପରେ ନଜର ରଖି ବଢୁଥିବା ହଟସ୍ପଟ୍ ଚିହ୍ନଟ କରିବାକୁ ଏବଂ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜା ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ସହିତ ପଜିଟିଭ ନମୁନାଗୁଡ଼ିକର ହୋଲ୍‍ ଜିନୋମ୍ ସିକ୍ୱେନ୍ସି ବୃଦ୍ଧି କରିବାକୁ ଡକ୍ଟର ମାଣ୍ଡଭିୟ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ଆରଏମଏଲ ହସ୍ପିଟାଲର ନିର୍ଦ୍ଦେଶକ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଅଜୟ ଶୁକ୍ଲା ଏବଂ ପରିମଳ ସମେତ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।

Comments are closed.