Latest Odisha News

BREAKING NEWS

ଆଇପିଏଲରେ ଅଣଦେଖା: ୨୮ ପରେ ଏବେ ୩୬ ବଲରେ ଶତକ ମାରିଲେ ଉର୍ବିଲ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ଗୁଜରାଟର ଉର୍ବିଲ ପଟେଲ ବିସ୍ଫୋରକ ବ୍ୟାଟିଂ ଜାରୀ ରଖିଛନ୍ତି । ଆଇପିଏଲ ମେଗା ନିଲାମରେ ଅଣଦେଖା ହେବା ପରେ ଉର୍ବିଲ ୨୮ ବଲରେ ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ । ଏବେ ପୂନର୍ବାର ୩୬ ବଲରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମଙ୍ଗଳବାର ଇନ୍ଦୋରରେ ଉତରାଖଣ୍ଡ ବିପକ୍ଷ ମୁକାବିଲାରେ ସେ ୪୧ ବଲରେ ୧୧୫ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । ଉତରାଖଣ୍ଡ ପ୍ରଥମେ ବ୍ୟାଟିଂ କରି ୧୮୬ ରନର ଟାର୍ଗେଟ ଦେଇଥିଲା । ଉର୍ବିଲ ଏବଂ ଶେଷ ଭାଗରେ ଅଧିନାୟକ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ବିଜୟୀ କରାଇଥିଲେ ।

ମେହସାଣା ବାସିନ୍ଦା ଉର୍ବିଲ ୨୦୧୮ରେ ବରୋଦା ପକ୍ଷରୁ ରଣଜୀ ମ୍ୟାଚରେ ପଦାର୍ପଣ କରିଥିଲେ । ସେହି ବର୍ଷ ସେ ଲିଷ୍ଟ ଏ କ୍ରିକେଟରେ ମଧ୍ୟ ପଦାର୍ପଣ କରିଥିଲେ । ୬ ବର୍ଷ ହେବ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଖେଳିବା ଜାରୀ ରଖିଛନ୍ତି । ୨୦୨୩ରେ ଗୁଜରାଟ ଟାଇଟାନ୍ସ ୨୦ ଲକ୍ଷ ଟଙ୍କାରେ ଉର୍ବିଲଙ୍କୁ ଦଳରେ ନେଇଥିଲା । ମାତ୍ର ତାଙ୍କୁ ଗୋଟିଏ ବି ମ୍ୟାଚରେ ଖେଳିବା ସୁଯୋଗ ମିଳି ନ ଥିଲା । ନିକଟରେ ସମ୍ପନ୍ନ ହୋଇଥିବା ମେଗା ନିଲାମରେ ତାଙ୍କୁ ଏଥର କେହି କିଣି ନ ଥିଲେ । ଉର୍ବିଲ ୪୪ ଟି୨୦ ମ୍ୟାଚରେ ୨୩.୫୨ ଆଭରେଜରେ ୧୬୪ ଷ୍ଟ୍ରାଇକ ରେଟରେ ୯୮୮ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.