ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଇରାନ ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଥିବା ବେଳେ, ଆମେରିକା ପୁଣି ଥରେ କହିଛି ଯେ ଏହା ତେହେରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦେବ ନାହିଁ।ଆମେରିକାର ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ତେହେରାନ ଏହାର ପରମାଣୁ କ୍ଷମତା ସହିତ କ’ଣ କରିବ ତାହା ନିଷ୍ପତ୍ତି ନେବାର ୱାଶିଂଟନର କୌଣସି ଅଧିକାର ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।
କ’ଣ କହିଲା ଆମେରିକା?
ନିକଟରେ ଇରାନ ପରମାଣୁ ଦେଶ ବନିବା ନେଇ ତାର ଦବି ରହିଥିବା ଇଚ୍ଛା ପ୍ରକାଶ କରିଥିଲା । ଯେତେବେଳେ ୧୮ ଅକ୍ଟୋବର ୨୦୨୫ରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ୨୨୩୧ର ମିଆଦ ଶେଷ ହୋଇଥିଲା । ଏହାକୁ ନେଇ ପୂର୍ବରୁ ଇସ୍ରାଏଲ ସହ ଯୁଦ୍ଧରେ ସିଧା ଇରାନ ଉପରେ ଆକ୍ରମଣ କରି ଚେତାବନୀ ଦେଇସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ଖାମେନେଇ । ଯାହାର ଜବାବରେ ଆମେରିକା କହିଛି, “ରାଷ୍ଟ୍ରପତି ଟ୍ରମ୍ପ ସର୍ବଦା ସ୍ପଷ୍ଟ ଅଛନ୍ତି, ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଆତଙ୍କବାଦ ପ୍ରାୟୋଜକଙ୍କୁ କେବେ ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ।” ଇସ୍ରାଏଲୀ ସଂସଦରେ ଟ୍ରମ୍ପଙ୍କ ସାମ୍ପ୍ରତିକ ଭାଷଣକୁ ଉଦ୍ଧୃତ କରି ଜଣେ ଆମେରିକା ଅଧିକାରୀ କହିଛନ୍ତି ଯେ, ଇରାନ, ଯାହାର ଶାସନ ମଧ୍ୟପ୍ରାଚ୍ୟରେ ଏତେ ମୃତ୍ୟୁ ଘଟାଇଛି, ଆତଙ୍କବାଦ ପ୍ରତି ବନ୍ଧୁତା ଏବଂ ସହଯୋଗର ହାତ ସର୍ବଦା ଖୋଲା, ଯଦି ଇରାନର ନେତା ଆତଙ୍କବାଦୀଙ୍କୁ ସମର୍ଥନ ପରିତ୍ୟାଗ କରନ୍ତି ଏବଂ ଇସ୍ରାଏଲର ଅସ୍ତିତ୍ୱର ଅଧିକାରକୁ ସ୍ୱୀକାର କରନ୍ତି, ତେବେ ଏହି ଅଞ୍ଚଳ ପାଇଁ ସବୁଠାରୁ ବଡ଼ ଲାଭ ହେବ।
ଆମେରିକା ଉପରେ ବର୍ଷିଲେ ଇରାନର ସର୍ବୋଚ୍ଚ ନେତା
ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଆଗକୁ ବଢିବାକୁ ରୋକୁଥିବାରୁ ଏହାକୁ ନେଇ ସିଧା ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି । ୮୬ ବର୍ଷୀୟ ଖାମେନେଇ କହିଛନ୍ତି ଯେ କୌଣସି ଦେଶର ପରମାଣୁ ଶିଳ୍ପ ରହିବା ଉଚିତ କି ନାହିଁ ତାହା ନିଷ୍ପତ୍ତି ନେବାର ଆମେରିକାର କୌଣସି ଅଧିକାର ନାହିଁ। ଇରାନରେ ପରମାଣୁ ସୁବିଧା ଅଛି କି ନାହିଁ ତାହା ସହିତ ଆମେରିକାର କ’ଣ କରିବାର ଅଛି?, ଏହି ହସ୍ତକ୍ଷେପଗୁଡ଼ିକ ଅନୁଚିତ, ଭୁଲ ଏବଂ ଜବରଦସ୍ତି ବୋଲି ଅଭିଯୋଗ କରିଛନ୍ତି ଖାମେନେଇ । ଏଥିସହିତ ସର୍ବୋଚ୍ଚ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ପାଇଁ ନବୀକରଣ ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, “ସେ ନିଜକୁ ଚୁକ୍ତିର ବ୍ୟକ୍ତି ବୋଲି କୁହନ୍ତି, କିନ୍ତୁ ଯଦି ଚାପରେ ଏକ ଚୁକ୍ତି କରାଯାଏ ଏବଂ ଏହାର ଫଳାଫଳ ପୂର୍ବନିର୍ଦ୍ଧାରିତ ହୋଇଥାଏ, ତେବେ ଏହା ଏକ ଚୁକ୍ତି ନୁହେଁ ବରଂ ଜବରଦସ୍ତି ଏବଂ ଧମକ। ଇରାନ ରାଷ୍ଟ୍ର ଏପରି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।”
କାହିଁକି ଇରାନକୁ ବିରୋଧ କରୁଛି ଆମେରିକା?
ପଶ୍ଚିମ ଶକ୍ତିଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଇରାନ ଗୁପ୍ତ ଭାବରେ ୟୁରାନିୟମ୍ ସମୃଦ୍ଧି ମାଧ୍ୟମରେ ପରମାଣୁ ବୋମା ବିକଶିତ କରିବାକୁ ଚେଷ୍ଟା କରୁଛି ଏବଂ ଏହା ବନ୍ଦ କରିବାକୁ ଚାହୁଁଛି। ତେହେରାନ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛି ଏବହ କହିଛି ଯେ ଏହାର ସମୃଦ୍ଧି କାର୍ଯ୍ୟକ୍ରମ କେବଳ ବେସାମରିକ ଶକ୍ତି ସ୍ୱାର୍ଥ ପାଇଁ, ଅସ୍ତ୍ର ଉତ୍ପାଦନ ପାଇଁ ନୁହେଁ। ଇରାନର ପରମାଣୁ ଶକ୍ତି ହାସଲ କରିବା ପଛରେ ଶକ୍ତି ଆବଶ୍ୟକତା, ଆଞ୍ଚଳିକ ସୁରକ୍ଷା ଏବଂ ପ୍ରତିରୋଧ ପାଇଁ ଇଚ୍ଛା, ଜାତୀୟ ପ୍ରତିଷ୍ଠା ଏବଂ ଘରୋଇ ରାଜନୈତିକ ବିଚାର ସମେତ ଅନେକ କାରଣ ରହିଛି। ସରକାର ଦାବି କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଶକ୍ତି ଉତ୍ପାଦନ ପାଇଁ, ୟୁରାନିୟମ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ, ଯାହା କେବଳ ଏକ ନାଗରିକ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ନୁହେଁ, ସମ୍ଭାବ୍ୟ ଅସ୍ତ୍ର ବିକାଶ ବିଷୟରେ ଅନ୍ତର୍ଜାତୀୟ ଚିନ୍ତା ସୃଷ୍ଟି କରିଛି । ଏଥିସହିତ ଇରାନ ଏକ ଆତଙ୍କବାଦର ପୁରୋଧା ହୋଇଥିବା ବେଳେ ଏହା ହାତରେ ପରମାଣୁ ଶକ୍ତି ପୂରା ବିଶ୍ବ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।
Comments are closed.