Latest Odisha News

BREAKING NEWS

ପଢ଼ିବା ପାଇଁ ଚଷମା ବ୍ୟବହାର କରୁଛନ୍ତି କି ? ଆସିଗଲା ଚଷମାର ବିକଳ୍ପ ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଆଖିରେ ଦୃଷ୍ଟିଜନିତ ସମସ୍ୟା ଥିଲେ ଆଉ ପଢିବା ପାଇଁ ଚଷମା ଆବଶ୍ୟକ ପଡ଼ିବନି । ଆମେରିକାର ଏକ ଔଷଧ କମ୍ପାନୀ ଚଷମାର ବିକଳ୍ପ ଭାବେ ଏକ ଔଷଧ ବାହାର କରିଛି। ଯାହାକି ଏକ ତରଳ ଆକାରରେ ରହିଛି। ଆଖିରେ ପକାଇଲେ କିଛି ଘଣ୍ଟା ପାଇଁ ଜଣେ ବିନା ଚଷମାରେ ପଢିପାରିବ।

ସାଧାରଣତଃ ଖବରକାଗଜ ପଢ଼ିବା ପାଇଁ କିମ୍ବା ମୋବାଇଲ ଓ କମ୍ପ୍ୟୁଟରରେ କାମ କରିବା ପାଇଁ ଲୋକେ ଚଷମା ବ୍ୟବହାର କରନ୍ତି। କାରଣ ଏହି ବର୍ଗର ଲୋକ ନିକଟତମ ବସ୍ତୁଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଅନୁଭବ କରନ୍ତି ଏବଂ ଶେଷରେ ପଢ଼ିବା ପାଇଁ ଚଷମାର ସାହାଯ୍ୟ ନିଅନ୍ତି। ଏହା ଏକ ସାଧାରଣ ରୋଗ ଭାବବେ ଏବେ ଦେଖାଯାଉଛି। ୪୦ରୁ ଅଧିକ ବୟସ୍କଙ୍କ ପାଖରେ ଏହି ରୋଗ ସର୍ବାଧିକ ଦେଖାଯାଏ।ଏହାକୁ ପ୍ରେସବୟୋପିଆ (presbyopia) ରୋଗ ବୋଲି କୁହାଯାଏ। ସାରା ବିଶ୍ୱରେ ପ୍ରାୟ ୧.୮ ବିଲିୟନ ଲୋକ ପ୍ରେସବୟୋପିଆ ରୋଗରେ ଆକ୍ରାନ୍ତ ବୋଲି ସୂଚନା ରହିଛି।

ୟୁନାଇଟେଡ୍ ଷ୍ଟେଟସ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ (United States Food and Drug Administration) ଭ୍ୟୁଟି (Vuity) ଆଖି ଡ୍ରପ ଔଷଧକୁ ଅନୁମତି ଦେଇଛି। ଏହି ଆଖି ଡ୍ରପକୁ ଆଖିରେ ପକାଇଲେ ଦୃଷ୍ଟି ଶକ୍ତିର କ୍ଷମତା ବଢିଯିବ। ତେଣୁ ସବୁ ସ୍ଥାନରେ ଜଣଙ୍କୁ  ପଢିବା ପାଇଁ ଚଷମାର ଆବଶ୍ୟକତା ପଡ଼ିବ ନାହିଁ। ଏହି ଆଖି ଡ୍ରପ୍ ୪୦ ରୁ ୫୫ ବର୍ଷ ବୟସର ଲୋକଙ୍କ ପାଇଁ ସବୁଠାରୁ ପ୍ରଭାବଶାଳୀ ବୋଲି ଜଣାପଡିଛି। ଯେଉଁମାନେ ଦୈନିକ କାମ କରିବା ସମୟରେ ସ୍ପଷ୍ଟ ଭାବରେ ଦେଖିବାକୁ ଯାଇ ଚଷମା ବ୍ୟବହାର କରନ୍ତି।

ଏହି ଔଷଧକୁ ପ୍ରତିଦିନ ପ୍ରତ୍ୟେକ ଆଖିରେ ଗୋଟିଏ ଲେଖାଏଁ ବୁନ୍ଦା ପକାଇବାକୁ ପରାମର୍ଶ ଦିଆଯାଇଛି। ଏହି ଔଷଧ ଆଖିରେ ପକାଇବାର ୧୫ ମିନିଟ୍ ପରେ କାମ କରିବା ଆରମ୍ଭ କରିଥାଏ ଏବଂ ଏହାର ପ୍ରଭାବ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ।

ଗବେଷକମାନେ ଉଭୟ କ୍ଲିନିକାଲ ଅଧ୍ୟୟନରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। କିଛି ସମୟରେ କିନ୍ତୁ ସାମାନ୍ୟ ମୁଣ୍ଡବିନ୍ଧା ଓ ଆଖି ଲାଲ୍ ହେଉ ଥିବାର ନଜିର ରହିଛି। ଯାହାକି ପରବର୍ତ୍ତୀ ସମୟରେ ଆପେ ଆପେ ଭଲ ହୋଇଯାଉଛି। କିନ୍ତୁ ଏପରି ସମସ୍ୟା ବହୁତ କମ୍ ଆସିଛି।

ଏପରି ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଆଖି ଜନିତ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରିବା ଉଚିତ୍।

Leave A Reply

Your email address will not be published.