ନୂଆଦିଲ୍ଲୀ: ଜାତିସଂଘରେ ହାରିଲା ପାକିସ୍ତାନ । ପାକିସ୍ତାନ ଏବଂ ଚୀନ୍ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଏହାର ମାଜିଦ୍ ବ୍ରିଗେଡକୁ ନିଷେଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରମାଣ ଅଭାବ ଦର୍ଶାଇ ଆମେରିକା, ୟୁକେ ଏବଂ ଫ୍ରାନ୍ସ ପ୍ରସ୍ତାବକୁ ଅବରୋଧ କରିଥିଲେ। ଏହା ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନର ଅନ୍ତର୍ଜାତୀୟ ରଣନୀତିକୁ ଏକ ଶକ୍ତ ଆଘାତ ଦେଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନ ସହ ଚୀନର ମିଳିତ ଯୋଜନାକୁ ବି ବଡ଼ ଝଟକା ଦେଇଛି । ପାକିସ୍ତାନ ଏବଂ ଚୀନ୍ ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ଏହାର ଆତ୍ମଘାତୀ ଶାଖା, ମାଜିଦ୍ ବ୍ରିଗେଡ୍ କୁ ଜାତିସଂଘ 1267 ପ୍ରତିବନ୍ଧକ ତାଲିକାରେ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ତଥାପି, ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏହାକୁ ଅବରୋଧ କରିଥିଲେ। ଏହି ଦେଶଗୁଡ଼ିକ କହିଥିଲେ ଯେ BLA ଏବଂ ମାଜିଦ୍ ବ୍ରିଗେଡ୍କୁ ଅଲ୍-କାଏଦା କିମ୍ବା ISIL ସହିତ ଯୋଡ଼ିବାର ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏହି କାରଣରୁ ମିଳିତ ପ୍ରସ୍ତାବ ପାରିତ ହୋଇପାରିଲା ନାହିଁ।
ଜାତିସଂଘ 1267 ପ୍ରସ୍ତାବ କ’ଣ?
ଜାତିସଂଘ 1267 ପ୍ରସ୍ତାବ UNSCରେ 1999 ମସିହାରେ ଆଗତ କରାଯାଇଥିଲା। ଏହା ଅଧୀନରେ, ଅଲ୍-କାଏଦା, ତାଲିବାନ ଏବଂ ISIL ସହିତ ଜଡିତ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ, ସମ୍ପତ୍ତି ଜବତ ଏବଂ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଯାଇପାରିବ। ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସୀମ ଇଫତିଖାର ଅହମ୍ମଦ ଦାବି କରିଛନ୍ତି ଯେ ISIL-K, ଅଲ୍-କାଏଦା, ତେହରିକ-ଏ-ତାଲିବାନ ପାକିସ୍ତାନ (TTP), BLA ଏବଂ ମାଜିଦ୍ ବ୍ରିଗେଡ୍ ସମେତ ଅନେକ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରୁ କାର୍ଯ୍ୟ କରୁଛନ୍ତି। ସେ କହିଥିଲେ ଯେ ଆତଙ୍କବାଦ ପାକିସ୍ତାନର ସବୁଠାରୁ ବଡ଼ ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଏହାକୁ ସମର୍ଥନ କରିବା ପାଇଁ ଆଫଗାନିସ୍ତାନ ମାଟି ବ୍ୟବହାର କରାଯାଉଛି। ପାକିସ୍ତାନ ମଧ୍ୟ ଆଫଗାନିସ୍ତାନ ତାଲିବାନ ସରକାରଙ୍କୁ ତା’ର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିବାକୁ ନିବେଦନ କରିଛି।
ଆମେରିକା ଦେଲା ପଛଘୁଞ୍ଚା…
ଜାତିସଂଘରେ ପାକିସ୍ତାନର ସାଥ୍ ଛାଡିଦେଲା ଆମେରିକା । ବଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଏହାର ମାଜିଦ୍ ବ୍ରିଗେଡକୁ ନିଷେଧ କରିବାକୁ ପାକିସ୍ତାନ ଦାବିକୁ ୟୁଏନରେ ଅବରୋଧ କରିଛି ଆମେରିକା । ଯାହା ପାକିସ୍ତାନ ପାଇଁ ଏକ ଝଟକା। କାରଣ ଗତ ମାସରେ, ଆମେରିକା BLA ଏବଂ ମାଜିଦ୍ ବ୍ରିଗେଡକୁ “ବିଦେଶୀ ଆତଙ୍କବାଦୀ ସଂଗଠନ (FTO)” ଭାବରେ ନାମିତ କରିଥିଲା। ୨୦୧୯ ମସିହାରେ ଆମେରିକା ଦ୍ୱାରା BLAକୁ “ସ୍ପେଶାଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ” (SDGT) ଭାବରେ ମଧ୍ୟ ତାଲିକାଭୁକ୍ତ କରାଯାଇଥିଲା। ଏହି ବଲୁଚିସ୍ତାନ-ଭିତ୍ତିକ ବିଦ୍ରୋହୀ ଗୋଷ୍ଠୀ ଉପରେ ଅନେକ ବଡ଼ ଆକ୍ରମଣ, ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ବିଦେଶୀ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାର ଅଭିଯୋଗ ରହିଛି। ହେଲେ ଏବେ ପଛ ଘୁଞ୍ଚା ଦେଇଛି ।
ପାକିସ୍ତାନର ନିଦ ହଜେଇଛି ବିଏଲଏ
ଆତଙ୍କବାଦକୁ ସବୁବେଳେ ପ୍ରୋତ୍ସାହନ ଦେଇଆସୁଥିବା ଦେଶ ହେଉଛି ପାକିସ୍ତାନ । ହେଲେ ନିଜ ଦେଶ ଭିତରେ ପାକିସ୍ତାନ ସେନାର ନିଦ ହଜାଇଛି ବଲୁଚ ଲିବରେସନ ଆର୍ମି । BLA ହେଉଛି ବଲୁଚିସ୍ତାନରୁ ସକ୍ରିୟ ଥିବା ସବୁଠାରୁ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଏବଂ ଏହାର ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ହେଉଛି ପାକିସ୍ତାନରୁ ଏକ ପୃଥକ ବଲୁଚ୍ ରାଜ୍ୟ ଗଠନ କରିବା। ଯାହାର ସ୍ବାଧୀନତା ପାଇଁ ଗତ ଦଶନ୍ଧିରୁ ଅଧିକ ସମୟ ଧରି ସେମାନେ ପାକିସ୍ତାନୀ ସେନା ସହିତ ଲଢ଼ି ଆସୁଛନ୍ତି ଏବଂ ଦାବି କରିଛନ୍ତି ଯେ ବଲୁଚିସ୍ତାନର ସମୃଦ୍ଧ ଗ୍ୟାସ୍ ଏବଂ ଖଣିଜ ସମ୍ପଦ ପାକିସ୍ତାନୀ ରାଷ୍ଟ୍ର ଦ୍ୱାରା ଶୋଷଣ କରାଯାଇଛି ଏବଂ ବଲୁଚିସ୍ତାନ ଲୋକଙ୍କୁ କୌଣସି ଲାଭ ଦିଆଯାଇନାହିଁ । ଯାହାକୁ ନେଇ ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି ବିଏଲଏ । ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ସଂଘଠିତ ଅନେକ ଭୟଙ୍କର ଆକ୍ରମଣ ପାଇଁ ବିଏଲଏ ଏବଂ ମାଜିଦ ବ୍ରିଗେଡ ନିଜକୁ ଦାୟୀ କରିଆସୁଛନ୍ତି। ୨୦୨୪ରେ କରାଚୀ ବିମାନ ବନ୍ଦର ନିକଟରେ ଆତ୍ମଘାତୀ ବିସ୍ଫୋରଣଠାରୁ ଆରମ୍ଭ କରି ଗ୍ବାଦର ବନ୍ଦରରେ ଆକ୍ରମଣ ଏବଂ ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ କରି ୩୧ ନାଗରିକ ଏବଂ ସୈନ୍ୟଙ୍କୁ ହତ୍ୟାରେ ଏହି ଦୁଇ ସଂଗଠନ ସମ୍ପୃକ୍ତ ରହିଛି । ଆଉ ପ୍ରତିଦିନ ବିଏଲଏ ପାକ୍ ସେନା ଉପରେ ଦାଉ ସାଧୁଥିବା ବେଳେ ଆକ୍ରମଣରେ ଅନେକ ପାକିସ୍ତାନ ସେନା ପ୍ରାଣ ହରାଇଛନ୍ତି ।
Comments are closed.