Latest Odisha News

BREAKING NEWS

ଋଷରୁ ଶସ୍ତା ତେଲ କିଣୁଛି ଭାରତ, ବ୍ୟବସାୟିକ ପ୍ରକ୍ରିୟା ରୋକିବାକୁ ଆମେରିକା ଆପଣାଇଲା ନୂଆ ରଣନୀତି?

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା ଋଷର ଏପରି ଆକ୍ରମଣକୁ ବିରୋଧ କରି ବିଭିନ୍ନ ପ୍ରତିବନ୍ଧକ ଲଗାଇଛି। ଏପରି ସ୍ଥିତିରେ ଋଷ ଭାରତକୁ ଶସ୍ତାରେ ଅଶୋଧିତ ତେଲ ବିକ୍ରି କରୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଉଠାଇଛି ୟୁରୋପ ସମେତ ଆମେରିକା। ଏବେ ଭାରତ ଋଷ ପାଖରୁ ଅଶୋଧିତ ତେଲ କିଣୁଛି। କିନ୍ତୁ ଏହାକୁ ରୋକିବାକୁ ଆମେରିକା ପ୍ରୟାସ କରିଛି ବୋଲି କୁହାଯାଉଛି।

ଆମେରିକାର କନସୁଲେଟ୍ ଜେନେରାଲ୍ ପନ୍ଦର ଦିନ ତଳେ ମୁମ୍ବାଇ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖିଥିଲେ। ଋଷ ବିରୋଧରେ ଆମେରିକାର କଟକଣା ଯୋଗୁଁ ଋଷ ଜାହାଜକୁ ମୁମ୍ବାଇ ବନ୍ଦରରୁ ଛାଡିବାକୁ ଅନୁମତି ନ ଦେବାକୁ ଅନୁରୋଧ କରିଛି। ୟୁକ୍ରେନ ସହ ଋଷର ଯୁଦ୍ଧ ଚାଲିଥିବା ବେଳେ ଆମେରିକା ଓ ୟୁରୋପୀୟ ଦେଶକୁ ସମର୍ଥନ କରୁନାହିଁ ଭାରତ। ଯାହାକୁ ନେଇ ବିଭିନ୍ନ ସମୟରେ କୂଟନୀତିକ ଆଲୋଚନା ହୋଇଛି ହେଲେ ଭାରତ ଯୁଦ୍ଧକୁ ସମର୍ଥନ କରିନାହିଁ । ବରଂ ମାନବିକତା ଦୃଷ୍ଟିକୋଣରୁ ଦୁଇ ଦେଶ ବିବାଦର ସମାଧାନ କରନ୍ତୁ ବୋଲି ଦାବି କରି ନିରପେକ୍ଷ ଆଭିମୁଖ୍ୟ ରଖି ଆସିଛି ଭାରତ। ଯାହାକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଭାରତର ସମର୍ଥନ ପାଇବାରେ ବିଫଳ ହୋଇଛନ୍ତି। ତେବେ ଭାରତ ନିଜର ଅର୍ଥନୀତି ଏବଂ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧିକୁ ଦେଖି ଋଷର ଶସ୍ତା ତେଲ କିଣିବାକୁ ନିଷ୍ପତ୍ତି ନେଇଛି। ଏପରି କରି ଋଷ ସହ ଭାରତ ନିଜର ବ୍ୟବସାୟିକ ସମ୍ପର୍କ ବଢାଇଛି।

ଯାହାକୁ ରୋକିବା ପାଇଁ ଆମେରିକା ପ୍ରୟାସ କରୁଛି ବୋଲି କୁହାଯାଉଛି। ତେଣୁ ଋଷ ଠାରୁ ଆସୁଥିବା ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଜାହାଜଗୁଡ଼ିକୁ ନିଜ ବନ୍ଦରକୁ ପ୍ରବେଶ କରିବାକୁ ଅନୁମତି ଦେଉଛି।

ଆମେରିକା କନସୁଲେଟ ଜେନେରାଲ ଦେଇଥିବା ଚିଠି ପରେ ମୁମ୍ବାଇ ପୋର୍ଟ ଅଥରିଟି କହିଛି, ଜାହାଜ ଚଳାଚଳ ମହାନିର୍ଦ୍ଦେଶକ କିମ୍ବା ତଟରକ୍ଷୀ ବାହିନୀ ଭଳି ଏଜେନ୍ସିଙ୍କ ଠାରୁ ନିର୍ଦ୍ଦେଶ ନ ମିଳିବା ଯାଏ ଆମେ କୌଣସି ଜାହାଜ ବା ମାଲବାହୀ ଜାହାଜକୁ ଅନୁମତି ଦେବାକୁ ମନା କରିପାରିବା ନାହିଁ।

ସେପଟେ ଜାହାଜ ଚଳାଚଳ ମହାନିର୍ଦ୍ଦେଶକ ଅମିତାଭ କୁମାର କହିଛନ୍ତି, ଆମେ ଆମେରିକା କନସୁଲେଟ ଜେନେରାଲଙ୍କ ଚିଠିକୁ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇଛୁ ଏବଂ ସେମାନଙ୍କ ନିର୍ଦ୍ଦେଶ ମାଗିଛୁ। କୌଣସି ନିର୍ଦ୍ଦିଷ୍ଟ ଦେଶର ଜାହାଜକୁ ଭାରତୀୟ ବନ୍ଦରରେ ପ୍ରବେଶ ପାଇଁ ଅନୁମତି ନଦେବା ପାଇଁ ଏ ଯାଏ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଅମିତାଭ କୁମାର କହିଛନ୍ତି।

Comments are closed.